ଟ୍ରେନ୍ ଏବଂ ଷ୍ଟେସନଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ଉପରେ ଚବିଶ ଘଣ୍ଟିଆ ନଜର ରଖିବ “ଏଆଇ”
1 min read
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଭାରତୀୟ ରେଳବାଇରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ବଡ଼ ଓ ଆଧୁନିକ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରେନ୍ ଏବଂ ଷ୍ଟେସନଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ଉପରେ ଚବିଶ ଘଣ୍ଟିଆ ନଜର ରଖିବା ପାଇଁ ଆଇଆରସିଟିସି ତା’ର ବେସ୍ କିଚେନ୍ ବା ମୁଖ୍ୟ ରୋଷେଇ ଘରଗୁଡ଼ିକରେ କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ଏକ ଶକ୍ତିଶାଳୀ ମନିଟରିଂ ସିଷ୍ଟମ କାର୍ଯ୍ୟକାରୀ କରିଛି। ଏହି ନୂତନ ବ୍ୟବସ୍ଥା ଅଧୀନରେ ସାରା ଦେଶରେ ଥିବା ୮୦୦ରୁ ଅଧିକ ଆଇଆରସିଟିସି ରୋଷେଇ ଘରକୁ ମୋଟ ୨,୩୯୪ଟି ଏଆଇ-ଆଧାରିତ ସିସିଟିଭି କ୍ୟାମେରା ସହ ସଂଯୋଗ କରାଯାଇଛି, ଯାହାର ସମ୍ପୂର୍ଣ୍ଣ ପରିଚାଳନା ନୂଆଦିଲ୍ଲୀରେ ଅବସ୍ଥିତ ଏକ କେନ୍ଦ୍ରୀୟ ୱାର୍ ରୁମରୁ କରାଯାଉଛି। ଏହି ଏଆଇ ପ୍ରଯୁକ୍ତିବିଦ୍ୟା ରୋଷେଇ ଘରେ ହେଉଥିବା ମୋଟ ୯ ପ୍ରକାରର ଅସ୍ୱାସ୍ଥ୍ୟକର ତ୍ରୁଟିକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରିବାର କ୍ଷମତା ରଖିଛି। ଏଥିମଧ୍ୟରେ ରୋଷେଇ କର୍ମଚାରୀମାନେ ମୁଣ୍ଡରେ ହେୟାରନେଟ୍ ଏବଂ ହାତରେ ସ୍ୱଚ୍ଛ ଗ୍ଲୋଭସ୍ ପିନ୍ଧିଛନ୍ତି କି ନାହିଁ, ରୋଷେଇ ଘର ସଫା ସୁତୁରା ହେଉଛି କି ନାହିଁ, ଏବଂ ସେଠାରେ ମୂଷା, ମାଛି କିମ୍ବା ଅସରପାଙ୍କ ପ୍ରାଦୁର୍ଭାବ ରହିଛି କି ନାହିଁ, ତାହା ଉପରେ ଏହି କ୍ୟାମେରାଗୁଡ଼ିକ ତୀକ୍ଷ୍ଣ ନଜର ରଖୁଛନ୍ତି।
ପ୍ରାୟ ଢେଢ଼ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ବର୍ତ୍ତମାନ ଆଇଆରସିଟିସି ଆହୁରି ବ୍ୟାପକ କରିବାରେ ଲାଗିଛି, ଯେଉଁଥିରେ ଅଧିକ ସଂଖ୍ୟକ ରୋଷେଇଆ ଓ ଅନ୍ୟାନ୍ୟ ସ୍ୱଚ୍ଛତା ସମ୍ବନ୍ଧୀୟ ନିୟମକୁ ଅନ୍ତର୍ଭୁକ୍ତ କରାଯାଉଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଏଆଇ ସିଷ୍ଟମ ଅତ୍ୟନ୍ତ ସଂବେଦନଶୀଳ ଏବଂ ଏହା ମାତ୍ର ୭ରୁ ୮ ମିଲିମିଟର ଆକାରର କୀଟପତଙ୍ଗକୁ ମଧ୍ୟ ସହଜରେ ଚିହ୍ନଟ କରିପାରେ। କ୍ୟାମେରାରେ କୌଣସି ଅସ୍ୱାସ୍ଥ୍ୟକର କାର୍ଯ୍ୟକଳାପ ନଜରକୁ ଆସିବା ମାତ୍ରେ ତୁରନ୍ତ ସମ୍ପୃକ୍ତ କିଚେନ୍ ମ୍ୟାନେଜରଙ୍କ ପାଖକୁ ଏକ ଆଲର୍ଟ ବା ସତର୍କ ସୂଚନା ବାର୍ତ୍ତା ଚାଲିଯାଇଥାଏ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ସଂଶୋଧନ କରାନଯାଏ, ତେବେ ମାମଲାକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଏ ଏବଂ ସାଧାରଣତଃ ଦୁଇ ଘଣ୍ଟା ମଧ୍ୟରେ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏହି ମନିଟରିଂ ବ୍ୟବସ୍ଥା ଦ୍ୱାରା ଦେଶସାରା ଦୈନିକ ହାରାହାରି ୩୫୦ଟି ଆଲର୍ଟ ଟିକେଟ୍ ସୃଷ୍ଟି ହେଉଥିବା ବେଳେ ଗତ ମାସରେ ମୋଟ ୧୩,୫୫୦ଟି ଆଲର୍ଟ ରେକର୍ଡ କରାଯାଇଛି, ଯେଉଁଥିରେ ସବୁଠାରୁ ଅଧିକ ୪,୧୨୩ଟି ମାମଲା ଉତ୍ତର ସଞ୍ଚାଳନ କ୍ଷେତ୍ରରୁ ଆସିଛି। ଯଦିଓ ଏହି ସିଷ୍ଟମରେ ପ୍ରାୟ ୧୦ ପ୍ରକାର ମାମଲାରେ କିଛି ଭୁଲ୍ ଆଲର୍ଟ ମଧ୍ୟ ସୃଷ୍ଟି ହୋଇଥାଏ, ତଥାପି ଏହା ରୋଷେଇ ଘରର ଶୃଙ୍ଖଳା ରକ୍ଷା କରିବାରେ ବେଶ୍ ସହାୟକ ହୋଇଛି।


