October 14, 2025

ଏଥର ୧୭୬ଟି ମେଢ଼ କଟକରେ

1 min read

ଭୁବନେଶ୍ବର : ଚଳିତ ଆଶ୍ବିନ କୃଷ୍ଣପକ୍ଷ ଅବସରରେ ଆସନ୍ତା ୨୨ ତାରିଖ ଠାରୁ ମା’ଙ୍କ ପୀଠରେ ଶାରୀଦୟ ନବରାତ୍ରୀ ଆରମ୍ଭ ହେଉଛି। ରାଜ୍ୟର ବିଭିନ୍ନ ଦେବୀପୀଠରେ ଏହି ଶାରଦୀୟ ଦୁର୍ଗାପୂଜାର ଆୟୋଜନ ହେବ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯିବ। ମାଙ୍କ ଚରଣରେ ଶ୍ରଦ୍ଧାଳୁ ମୁଣ୍ଡିଆ ମାରିବେ। ଓଡ଼ିଶାରେ ଦୁର୍ଗାପୂଜା କଥା ଚିନ୍ତା କଲେ, ଆପେଆପେ ଆଖି ଆଗରେ ଝଲସି ଉଠିଥାଏ କଟକ ସହରର ଦଶହରା। ଷଷ୍ଠୀରୁ ଭସାଣି ଉତ୍ସବ ପର୍ଯ୍ୟନ୍ତ କଟକରେ ଭିଡ଼ରୁ ଜଣା ପଡ଼ିଯାଏ ଏଠାକାର ଦୁର୍ଗାପୂଜାର ମହତ୍ତ୍ବ। କେବଳ ଓଡ଼ିଶା ନୁହଁ ବରଂ ଅନ୍ୟ ରାଜ୍ୟର ଭକ୍ତ ଓ ଶ୍ରଦ୍ଧାଳୁ ପୂଜା ସମୟରେ କଟକ ମୁହାଁ ହୁଅନ୍ତି। ଦିନ ରାତି ପ୍ରତି ମଣ୍ଡପରେ ଲାଗେ ଲୋକଙ୍କ ଗହଳି। ଚଳିତବର୍ଷ ୧୭୬ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା। ସେଥିମଧ୍ୟରୁ ମା’ ଦୁର୍ଗା ୩୬ଟି ଚାନ୍ଦି ମେଢ଼ଯୁକ୍ତ ମଣ୍ଡପରେ ପୂଜା ପାଇବେ।
ଐତିହାସିକ କଟକରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମା’ ଙ୍କ ମେଢ ଏବଂ ପୁରୁଣା ପରମ୍ପରାକୁ ନେଇ ଚର୍ଚ୍ଚା ହୋଇଥାଏ। କେବଳ ସେତିକି ନୁହେଁ, କଟକ ଦଶହରାର ବିଶେଷତା ହେଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମେଢ଼। ଏଠାରେ ମା’ଙ୍କର ମେଢ଼କୁ ପ୍ରଥମେ ରଙ୍ଗୀନ କାଗଜ ଓ ସୋଲରୁ ପ୍ରସ୍ତୁତ କରାଯାଉଥିଲା। ପରେ ଏଥିରେ ଜରି ବ୍ୟବହାର କରାଗଲା, ଯାହା କି ମା’ଙ୍କ ମୂର୍ତ୍ତିକୁ ଆହୁରି ଆକର୍ଷଣୀୟ କରିଥିଲା। ପରବର୍ତ୍ତୀ ସମୟରେ ଜରିର ସ୍ଥାନ ନେଇଛି ରୁପା ଓ ସୁନା। ତାରକସୀ ଶିଳ୍ପୀମାନେ ମା’ ଙ୍କ ମୁକୁଟ ସହ ଅଳଙ୍କାର ପ୍ରସ୍ତୁତ କରିବା ପରେ କଟକ ଦୁର୍ଗାପୂଜାକୁ ଆଉ ଏକ ସ୍ବତନ୍ତ୍ର ପରିଚୟ ମିଳିଛି।

ଶରତରେ କାଶତଣ୍ଡୀର ସମ୍ଭାର ପାଇଁ ଧରଣୀ ହସୁଛି। ମା’ ଦୁର୍ଗାଙ୍କ ଆବାହନ ପାଇଁ ପୂଜା ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଜୋର୍‌ ଧରିଛି। ପୂଜାମଣ୍ଡପରେ ମା’ ଦୁର୍ଗତିନାଶିନୀ ବିରାଜିବେ। ରୁପା ଓ ଚାନ୍ଦିମେଢ଼ରେ ପୁଣି ଥରେ ଝଲସିବେ। ଶକ୍ତିସ୍ବରୂପିଣୀ ମା’ଙ୍କ ଆଗମନ ପାଇଁ ହଜାର ବର୍ଷର କଟକ ସହର ଚଳଚଞ୍ଚଳ ଓ ଉତ୍ସବମୁଖରିତ ହେବ। ସେହିପରି ଶକ୍ତିପୀଠରେ ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଓ ଚଣ୍ଡୀପାଠ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି।