February 16, 2026

ତୃତୀୟ ସାଳନ୍ଦୀ ସାହିତ୍ୟ ସଙ୍ଗମ ଉଦ୍‌ଯାପିତ

1 min read

ଭଦ୍ରକ: ଦୁଇଦିନ ଧରି ଭଦ୍ରକ ବାଇପାସ ସ୍ଥିତ ‘ସଙ୍ଗମ କନ୍‌ଭେନ୍‌ସନ୍‌’ ଠାରେ ‘ଟାଇମ୍‍ପାସ’ ପକ୍ଷରୁ ଆୟୋଜିତ ଉତ୍ତରପୂର୍ବ ଓଡ଼ିଶାର ସର୍ବବୃହତ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ତୃତୀୟ ସଂସ୍କରଣ ଆଜି ଉଦ୍‌ଯାପିତ ହୋଇଯାଇଛି। ଶ୍ରୀଶ୍ରୀ ହୁଗୁଳାଙ୍କ ଏକ ଯୋଗସନ ସହ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାପରେ, ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ସଂଚାଳନାରେ ‘ଜୀବନର ଗପ, ଗପର ଜୀବନ’ ଆଲୋଚନା ଚକ୍ରରେ ଶୁଭ ନାରାୟଣ ସ୍ୱାଇଁ, ଡ. ସୁବ୍ରତ କୁମାର ସେନାପତି, ସ୍ୱରୂପ ନାୟକ, ଡ. ତୃପ୍ତି ରଞ୍ଜନ ଦାସ ଓ ପ୍ରଜ୍ଞା ପାରମିତା ରଥ ଆଲୋଚନା କରିଥିଲେ। ଡ. ଅଭୟ ଦାସଙ୍କ ସଂଚାଳନାରେ ‘ପ୍ରେମ ଓ ଜାଗର: ଜାଗରଣ ହିଁ ପ୍ରେମ’ ଶୀର୍ଷକ ଆଲୋଚନା ଚକ୍ରରେ ଡ. ବିଶ୍ୱରଞ୍ଜନ ଦାସ, ଡ. ରାଧାରାଣୀ ମହାପାତ୍ର, ଗଙ୍ଗାଧର ବିଶ୍ୱାଳ ଓ ଅତୁଲ ବଳ ଭାଗ ନେଇଥିଲେ। ଅନ୍ତର୍ଯ୍ୟାମୀ ମିଶ୍ର, ସୁମିତ ପଣ୍ଡା ଓ କାମଦେବ ମହାରଣାଙ୍କ ସଂଚାଳନାରେ ଆୟୋଜିତ ‘ପ୍ରେମ ଓ ଜାଗର’ ଶୀର୍ଷକ କବିତା ଉଚ୍ଚାରଣ କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ ଅତିଥି କବି ଡ. ପ୍ରଭାତ ନଳିନୀ ମହାପାତ୍ର, ପବିତ୍ର ମୋହନ ଦାଶ, କିଶୋର ପାଣିଗ୍ରାହୀ, ଉତ୍ପଳ ମହାନ୍ତି, ଗୌରୀ ସାହୁ, ଅଙ୍ଗୁରବାଳା ପରିଡ଼ା, ମାନମୟୀ ରଥ, ଶ୍ରୀଦେବ, ସୁଚିତ୍ରା ପାଣିଗ୍ରାହୀ, ବିଚିତ୍ରାନନ୍ଦ ଜେନା, ମନୋଜ କୁମାର ଭଳ, ମନୀଷା ବିଶ୍ୱାଳ, ଜିତୁ ପ୍ରଧାନ, ପ୍ରୀତିପଦ୍ମା ଦାସ, କ୍ଷୀରୋଦିନୀ ବେହେରା, ସତ୍ୟଜିତ ଦାସ, ପ୍ରତିଭା ଖିଲାର ଓ ସଞ୍ଜୁକ୍ତା ବଳ। ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଏକ ଆକର୍ଷଣୀୟ ଚିତ୍ର ଆଙ୍କିଥିଲେ ସମସାମୟିକ ଶିଳ୍ପୀ ବୀରେନ୍ଦ୍ର ପାଣି।କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଂଚାଳନାରେ ଆୟୋଜିତ ‘ଗପ ପଛର ଗପ’ ଶୀର୍ଷକ ଆଲୋଚନା ଚକ୍ରରେ ରଜନୀକାନ୍ତ ମହାନ୍ତି, ଡ. ରାଧାବିନୋଦ ନାୟକ, ଝରଣା ପଟ୍ଟନାୟକ, ପ୍ରଶାନ୍ତ କୁମାର ଦାସ ଓ ସଂଗ୍ରାମ କେଶରୀ ସେନାପତି ନିଜ ନିଜର ଗପ ପଛରେ ଥିବା ପ୍ରେରଣା ବାବଦରେ ଆଲୋଚନା କରିଥିଲେ। ଶୈଳେନ୍ଦ୍ର ମହାପାତ୍ର ଏହି ଆଲୋଚନା ଚକ୍ରର ସମୀକ୍ଷା କରିଥିଲେ। ଶ୍ରୀଗୋବିନ୍ଦଙ୍କ ସଂଚାଳନାରେ ‘ନାଟକରେ ନାଟକୀୟତା: ସତର ଢାଙ୍କୁଣୀ’ ଶୀର୍ଷକ ଆଲୋଚନା ଚକ୍ରରେ ଗପସପ କରିଥିଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକଦାର, ଲାଲା ବିରେନ ରାୟ ଓ ଅମିତାଭ ଖିଲାର।