March 22, 2026

ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ

1 min read

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ ଦେବେ, ସେଥିପାଇଁ ଶୁକ୍ରବାର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନିୟମିତ କରିଛନ୍ତି। ନିଯୁକ୍ତି ପାଇଥିବା ଦିନରୁ ହିଁ ସେମାନଙ୍କୁ ନିୟମିତ କରାଗଲା। ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସେହିପରି ଆଗକୁ ଶିକ୍ଷା କ୍ଷେତ୍ରରେ ଯେତେବେଳେ ଶିକ୍ଷକ ନିଯୁକ୍ତି କରାଯିବ, ସମସ୍ତଙ୍କୁ ନିୟମିତ ଭାବେ ନିଯୁକ୍ତି ଦିଆଯିବ ବୋଲି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଲେ, ପୂର୍ୱ ସରକାର ରାଜ୍ୟରେ ୫ହଜାରରୁ ଊର୍ଦ୍ଧ୍ୱ ସ୍କୁଲ ବନ୍ଦ କରିଦେଇଥିଲେ। ହେଲେ ଆମ ସରକାର ଆସିବା ପରେ ଯେଉଁଠି ପିଲା ଅଛନ୍ତି, ସେମାନେ ଦୂର ସ୍କୁଲକୁ ଯାଉଛନ୍ତି, ସେଭଳି ଜାଗାରେ ବିଦ୍ୟାଳୟ ପୁନଃ ଖୋଲିବାକୁ ନିଷ୍ପତ୍ତି ନିଆଯିବ। ଏଥିପାଇଁ ଜିଲାର ଯାଞ୍ଚ କମିଟି ପକ୍ଷରୁ ସେମିତି କିଛି ପ୍ରସ୍ତାବ ଆସିଲେ, ରାଜ୍ୟ କମିଟି ତାହାର ଯାଞ୍ଚ ଓ ତର୍ଜମା କରିବ। ଏହାପରେ ଯଦି ଆବଶ୍ୟକତା ରହିଥିବା ନେଇ କମିଟି ସରକାରଙ୍କୁ ରିପୋର୍ଟ ଦେବ, ତେବେ ସେଠାରେ ପୁନଃ ବିଦ୍ୟାଳୟ ଖୋଲାଯିବ। ଇତିମଧ୍ୟରେ ୪୦ଟି ସ୍କୁଲକୁ ରି-ଓପନ କରି ପାଠପଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଗଣ୍ଡ କହିଛନ୍ତି।