May 19, 2025

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ରେପୋ’ ରେଟ୍‌ ହ୍ରାସ କରାଯାଇଛି

1 min read

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ରେପୋ’ ରେଟ୍‌ ହ୍ରାସ କରାଯାଇଛି। ଏଥିରେ ୨୫ ବେସିସ୍ ପଏଣ୍ଟ କମ କରାଯାଇଛି। ଫଳରେ ରେପୋ ରେଟ୍‌ ଏବେ ୬.୨୫ ପ୍ରତିଶତରୁ କମି ୬ ପ୍ରତିଶତ ହୋଇଯାଇଛି। ଏନେଇ ବୁଧବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲୋହୋତ୍ର ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ବୈଠକରେ ଦେଶରେ ‘ରେପୋ’ ରେଟ୍‌ କମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କମିଟିର ସମସ୍ତ ୬ ଜଣ ସଦସ୍ୟ ଏହି ଦର କମାଇବା ସପକ୍ଷରେ ମତ ଦେଇଥିଲେ।

ରେପୋ ରେଟ୍ କମିବା ଫଳରେ ଲୋକମାନଙ୍କ ପାଇଁ ବ୍ୟାଙ୍କ ଋଣ ଉପରେ ସୁଧହାର କମିବାର ସମ୍ଭାବନା ରହିଛି। ଏହାସହ ଗୃହ ୠଣ ଓ ଅଟୋ ଲୋନର ଇଏମ୍‌ଆଇ ମଧ୍ୟ କମ୍‌ ହୋଇପାରେ।

ଚଳିତ ବର୍ଷ ଲଗାତର ଦ୍ଵିତୀୟ ଥର ଆରବିଆଇ ପକ୍ଷରୁ ରେପୋ ରେଟ୍ ହ୍ରାସ ହୋଇଛି। ଏହା ପୂର୍ବରୁ ଗତ ଫେବ୍ରୁଆରି ମାସରେ ୨୫ ବେସିସ୍ ପଏଣ୍ଟ କମ କରାଯାଇ ରେପୋ ରେଟକୁ ୬.୨୫ ପ୍ରତିଶତ କରାଯାଇଥିଲା।

ସୋମବାର ସଞ୍ଜୟ ମାଲୋହୋତ୍ରଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ୩ ଦିନିଆ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ଦେଶର ଆର୍ଥିକ ସ୍ଥିତିକୁ ନେଇ ବିଭିନ୍ନ ସମୀକ୍ଷା ଓ ଆଲୋଚନା କରାଯାଇଥିଲା। ଏହାପରେ ୨୦୨୫ ଜୁନ ମାସରେ କମିଟିର ପରବର୍ତ୍ତୀ ବୈଠକ ବସିବ।