October 14, 2025

ଫୁଲରେ ସଜେଇ ହୋଇଛି ପ୍ରକୃତି ରାଣୀ

1 min read

ବୁଗୁଡ଼ା: କାଶତଣ୍ଡି ଫୁଲ ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ଶରତର ଆଗମନ ପରେ ଏବେ ସବୁଠି କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ। ସ୍ଥାନୀୟ ଅଞ୍ଚଳର ରାସ୍ତାକଡ ହେଉ କି ନଈପଠା, ଏପରିକି ବିଲହିଡରେ ମଧ୍ୟ କାଶତଣ୍ଡି ଶୋଭା ପାଉଛି। ସତେ ଯେମିତି କାଶତଣ୍ଡି ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନକୁ ଚାହିଁ ରହିଛି । ଆଉ ପ୍ରକୃତିର ଏହି ରୂପ ସମସ୍ତଙ୍କୁ ଆନମନା କରିଛି ।
ଆସିଛି ପାର୍ବଣ, ଆଉ କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମା’ଦୁର୍ଗା ଏବଂ ମା’ଙ୍କୁ ସ୍ବାଗତ କରିବାକୁ ବାହୁ ମେଲାଇ ବସିଲାଣି କାଶତଣ୍ଡି ଫୁଲ। ବିଲବାଡ଼ି, ନଈପଠା ଓ ରାସ୍ତାଘାଟ ସବୁଠି ପସରା ମେଲୁଛି କାଶତଣ୍ଡି। ସୁଲୁସୁଲିଆ ପବନରେ ଦୋହଲୁଥିବା କାଶତଣ୍ଡିକୁ ଦେଖି କ୍ଷଣିକ ପାଇଁ ଲୋକେ ଅଟକି ଯାଉଛନ୍ତି । ଅନ୍ୟପକ୍ଷରେ କବି ମନ ଉଚ୍ଛନ୍ନ ହେଉଛି ଏବଂ ସେ ନିଜ କବିତା ମାଧ୍ୟମରେ ପ୍ରକୃତି ରାଣୀର ଅପୂର୍ବନୀୟ ଶୋଭାରାଜି ବର୍ଣ୍ଣନା କରୁଛି। ଏହି କଥା ସତ ଯେ, କାଶତଣ୍ଡି ଫୁଲର ମହକ ନାହିଁ, କିନ୍ତୁ ଏହାର ଅପରୂପ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ। ଏହି ଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିଶେଷ କରି ରେଖାପଞ୍ଚମୀରେ କାଶତଣ୍ଡି ଫୁଲ ଗୁଚ୍ଛକୁ କବାଟରେ ବାନ୍ଧି ପୂଜା କରାଯାଏ। ତେବେ ଏହା ହିଁ ଲାସ୍ୟମୟୀ ପ୍ରକୃତିର ଜନସମାଜ ପ୍ରତି ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।