June 27, 2025

ସିଂହଦ୍ଵାରରୁ ଅଳ୍ପ ବାଟ ଯାଇ ଅଟକିଲା ନନ୍ଦିଘୋଷ ରଥ

1 min read

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ବଡ଼ଠାକୁର। ଆଗେ ଆଗେ ଚାଲିଛନ୍ତି ଭାଇଭଉଣୀ ପଛରେ ନନ୍ଦିଘୋଷ ରଥରେ ବସି ଯାଉନ୍ତି କାଳିଆ ସାଆନ୍ତି। ମହାପ୍ରଭୁଙ୍କ ରଥର ଦଉଡ଼ି ଟାଣିବାକୁ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ।

ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଗଡ଼ିବା ପରେ ଚଳିତ ଥର ବହୁ ବିଳମ୍ବରେ ଗଡ଼ିଛି ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ। ବହୁ ପ୍ରତୀକ୍ଷା ପରେ ବିଳମ୍ବରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣିଛନ୍ତି ଭକ୍ତ। ତେବେ ସିଂହଦ୍ଵାରରୁ ଅଳ୍ପ ବାଟ ଯାଇ ଅଟକିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଆଜି ବିଳମ୍ବ ହୋଇଯାଇଥିବାରୁ ଆସନ୍ତାକାଲି ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ।

ନନ୍ଦିଘୋଷ ରଥରେ ବିରାଜମାନ ହୋଇଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ। ଘଣ୍ଟ, ଘଣ୍ଟି ଓ ହୁଳହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡ଼ଦାଣ୍ଡ। ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ଧାଡ଼ି ପହଣ୍ଡି ନୀତି ହୋଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବର୍ଷ ପହଣ୍ଡି କାର୍ଯ୍ୟ ସମାପନ ହୋଇଥିଲା।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା। ପରେ ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ବିଜାରଜମାନ କରାଯାଇଥିଲା। ଏହା ପରେ ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ଼ କରାଇଥିଲେ ସେବକମାନେ।

ଏହାପରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ରଥ ପରିକ୍ରମା କରିଥିଲେ। ନିଜ ସହଯୋଗୀମାନଙ୍କ ସହ ତିନିରଥକୁ ବୁଲି ଆଶୀର୍ବାଦ ଭିକ୍ଷା କରିଥିଲେ ଶଙ୍କରାଚାର୍ଯ୍ୟ।

ତିନିଠାକୁର ରଥାରୂଢ଼ ହେବା ପରେ ଆରମ୍ଭ ହୋଇଥିଲା ଗଜପତି ମହାରାଜଙ୍କ ଛେରାପହଁରା ସେବା। ଗଜପତି ମହାରାଜା ଦିବ୍ୟାସିଂହ ଦେବ ହାତରେ ସୁନାଖଡ଼ିକା ଧରି ତିନି ରଥରେ ଛେରାପହଁରା କରିଥିଲେ। ଗଜପତି ମହାରାଜ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ, ଏହାପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ। ଏହାପରେ ତିନି ରଥରେ ଘୋଡ଼ା ଯୋଖା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ପ୍ରଥମେ ଗଡ଼ିଥିଲା ତାଳଧ୍ୱଜ ରଥ। ଏହା ପରେ ଦର୍ପଦଳନ ଏବଂ ଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି ନନ୍ଦିଘୋଷ ରଥ।