June 27, 2025

ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍‌

1 min read

ଭୁବନେଶ୍ବର: ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶକଙ୍କ ଟିକେଟ୍‌ କିଣି ସାରିଥିବା ବେଳେ ଅନ୍ୟ ଦର୍ଶକମାନଙ୍କ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଟିକେଟ୍‌ କିଣିବାର ବ୍ୟବସ୍ଥା ଖୁବ୍‌ ଶୀଘ୍ର କରିବାକୁ ଯାଉଛି। ସୂଚନା ଅନୁସାରେ ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି ୨ ତାରିଖରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ସେହିପରି କ୍ରିକେଟ୍‌ପ୍ରେମୀମାନେ ଆସନ୍ତା ୫-୬ରେ କାଉଣ୍ଟର ଟିକେଟ୍‌ କିଣିପାରିବେ। କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଆସନ୍ତା ୫ ଓ ୬ ତାରିଖରେ ବାରବାଟୀ ମ୍ୟାଚ୍‌ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଏହା ପୂର୍ବରୁ ୨ ତାରିଖ ଦିନ ଅନ୍‌ଲାଇନ୍‌ରେ ୪ ହଜାର ଟିକେଟ୍‌ ବିକ୍ରି କରାଯିବ। ଚଳିତ ଥର ଷ୍ଟାଡିୟମ୍‌ରେ ଫ୍ୟାନ୍‌ ପାର୍କର ବ୍ୟବସ୍ଥା କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବାରବାଟୀ ଦିନିକିଆର ଗ୍ୟାଲେରି ଟିକେଟ କିଣିଛନ୍ତି। ଏହି ଅବସରରେ ଓସିଏର କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଆପେକ୍ସ କାଉନ୍‌ସିଲ୍ ସଦସ୍ୟ ପ୍ରତାପ କୁମାର ପ୍ରଧାନ, ଓଡ଼ିଶା ଅଲିମ୍ପିକ୍ସ ସଂଘ ସାଧାରଣ ସଂପାଦକ ଅଭିଜିତ ପାଲ୍, ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।