ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି
1 min read
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଗୃହର ଆଉ କୌଣସି ବିଜ୍ନେସ୍ ନ ଥିବା ଯୋଗୁ ଏହାକୁ ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏକ ମୋଶନ ଆଣିଥିଲେ। ପାର୍ବଣ ପାଇଁ ଗୃହକୁ ଦିନକ ପୂର୍ବରୁ ବନ୍ଦ କରାଇବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମୋଶନ ପାସ୍ କରାଇବାରେ ଅଧିକ ସଦସ୍ୟଙ୍କ ସମର୍ଥନ ରହିବା ଯୋଗୁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି।
ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଥିଲା। ୫ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ବାଭାବିକ ସ୍ଥିତିକୁ ଫେରିପାରି ନ ଥିଲା। ପ୍ରଥମ ୩ ଦିନ ଯାଏ ଗୃହ ଚଲାଇବା ସମ୍ଭବପର ହୋଇପାରି ନ ଥିଲା। ୪ର୍ଥ ଦିନର ପୂର୍ବାହ୍ନରେ ଗୃହ ସ୍ବାଭାବିକ ହୋଇପାରି ନ ଥିବା ବେଳେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ପରେ ଦୁଇଟି ବିଲ୍ ଏବଂ ଗୋଟିଏ ସଂକଳ୍ପ ଆଗତ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୫ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ୨୦୨୫ ଆଗତ କରାଯାଇଥିଲା। ଏହାସହ ଜିଏସ୍ଟିରେ ସଂସ୍କାର ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସମ୍ପର୍କିତ ସଂକଳ୍ପ ମଧ୍ୟ ଆଗତ କରାଯାଇଥିଲା। ୫ମ ଦିନ ପୂର୍ବାହ୍ନରେ ବିରୋଧୀ ଗୃହ କାର୍ଯ୍ୟ ଚଳାଇଦେଇ ନ ଥିଲେ। ଅପରାହ୍ନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍ ୨୦୨୫ ପାରିତ ହୋଇଥିଲା। ଏହାସହ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସମ୍ପର୍କିତ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଏହି ସମୟରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ନ ଥିବା ସତ୍ତ୍ୱେ ସରକାରୀ ଦଳ ପକ୍ଷରୁ ଏହାକୁ ପାରିତ କରାଯାଇଥିଲା। ସେହିପରି ଷଷ୍ଠ ଦିନ କିନ୍ତୁ କିଛି ସମୟ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ ଗୃହ ଅଚଳ ହୋଇଥିବାବେଳେ ବାକି ସମ୍ପୂର୍ଣ୍ଣ ସମୟ ଗୃହ କାର୍ଯ୍ୟ ବିନା ବିରୋଧ ଭିତରେ ଚାଲିଥିଲା। ପୂର୍ବାହ୍ନରେ ପ୍ରଶ୍ନକାଳ, ଶୂନ୍ୟକାଳ ଆଦି ସବୁ ଠିକ୍ଠାକ୍ ଚାଲିଥିଲା। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ୨୦୨୫ ଉପରେ ଗୃହରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ଏହି ବିଲ୍ ଗୃହରେ ପାରିତ ହେବାସହ ରାତି ୯.୧୯ ମିନିଟ୍ରେ ଗୃହ କାର୍ଯ୍ୟ ଅନିର୍ଦ୍ଦିିଷ୍ଟ କାଳ ଯାଏ ମୁଲତବି ଘୋଷଣା ହୋଇଥିଲା। ଏହି ୭ ଦିନିଆ କାର୍ଯ୍ୟଦିବସ ଭିତରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।