କଲଭର୍ଟ ନିର୍ମାଣର ୨ ଦିନ ମଧ୍ୟରେ ଦବି ଯାଇଛି
1 min read
ସମ୍ବଲପୁର : ସମ୍ବଲପୁରର ମୁଦିପଡା ପାଣିଟାଙ୍କି ପଡାରେ ଥିବା ମୁଖ୍ୟ କଲଭର୍ଟ ନିର୍ମାଣର ୨ ଦିନ ମଧ୍ୟରେ ଦବି ଯାଇଛି। ଅତ୍ୟନ୍ତ ନିମ୍ନମାନର ନିର୍ମାଣ ଯୋଗୁଁଁ ଏହି ପ୍ରମୁଖ କଲଭର୍ଟ (ସ୍ପର୍ଶ ନର୍ସିଂହୋମ ସମ୍ମୁଖ)ଟି ଗତ ମଙ୍ଗଳବାର ନିର୍ମାଣ ହୋଇଥିବା ବେଳେ ଗୁରୁବାର ରାତ୍ରିରେ ଏହା ଦବି ଯାଇଛି। ଫଳରେ ଅଞ୍ଚଳରୁ ଆବର୍ଜନା ଜଳ ନିଷ୍କାସିତ ହୋଇ ପାରୁ ନ ଥିବା ବେଳେ ଉକ୍ତ କଲଭର୍ଟ ତଳ ଦେଇ ଯାଇଥିବା ପାନୀୟ ଜଳ ପାଇପ ମଧ୍ୟ ଭାଙ୍ଗି ଯାଇ ପାନୀୟ ଜଳ ଯୋଗାଣ ମଧ୍ୟ ବାଧିତ ହୋଇଛି।
ଆଜି ସକାଳୁ ଅବସ୍ଥା ଏଭଳି ହୋଇଥିଲା ଯେ, କିଛି ଅଞ୍ଚଳବାସୀ ବାଧ୍ୟ ହୋଇ ଜଳ ନିଷ୍କାସନ ପାଇଁ ଉକ୍ତ କଲର୍ଭଟ ନିକଟସ୍ଥ ଅଞ୍ଚଳକୁ ନିଜେ ସଫେଇ କରିଛନ୍ତି। ପୁର୍ବରୁ ବର୍ଷା ଜଳ ଯିବାରେ ବାଧିତ ହେଉଥିବା ବେଳେ ଏବେ ନିମ୍ନମାନ ଏବଂ ତ୍ରୁଟିପୁର୍ଣ୍ଣ ନିର୍ମାଣ ଯୋଗୁଁଁ ନାଳ ଜଳ ମଧ୍ୟ ନିଷ୍କାସନରେ ଅସୁବିଧା ହେଉଛି। ଅପରପକ୍ଷରେ ଏହି ଘଟଣା ସମ୍ପର୍କରେ ନିଗମ କମିଶନର ରେହାନ ଖତ୍ରୀଙ୍କୁ ପଚରାଯିବାରୁ ଏ ସଂକ୍ରାନ୍ତରେ ବୁଝିକି କହିବେ ବୋଲି କହିଥିଲେ। ତେବେ ଏହି ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ପୁନଃ ନିର୍ମାଣ ଠିକାଦାର ଦ୍ୱାରା କରାଯିବ କି ନିଗମ ପୁଣି ଥରେ ଖର୍ଚ୍ଚ କରିବ ଆଦି ବିଭିନ୍ନ ପ୍ରଶ୍ନକୁ ନିଗମ କମିଶନର ଏଡାଇ ଯାଇଛନ୍ତି।


