ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି
1 min read
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ ବୃଦ୍ଧି ପାଇଛି। ଗତ ଡିସେମ୍ବର ମାସରେ ଏହା ୦.୮୩% ରହିଥିବା ବେଳେ ଜାନୁଆରୀରେ ଏଥିରେ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ମୁଖ୍ୟତଃ ଖାଦ୍ୟ ପଦାର୍ଥ ଏବଂ ନିର୍ମିତ ସାମଗ୍ରୀର ଦର ବଢ଼ିବା କାରଣରୁ ପାଇକାରୀ ମହଙ୍ଗା ଦର ବୃଦ୍ଧି ପାଇଛି।
ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ଶୂନ ରହିଥିବା ବେଳେ ଜାନୁଆରୀରେ ଏହା ୧.୪୧% କୁ ଫେରିଛି। ଖାଦ୍ୟ ପଦାର୍ଥର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ଚାପ ପକାଇଛି।
ସେହିଭଳି ମାନୁଫ୍ୟାକ୍ଚରଡ୍ ପ୍ରଡକ୍ଟସର ମୁଦ୍ରାସ୍ଫୀତି ୧.୮୨% ରୁ ବଢ଼ି ୨.୮୬% ରେ ପହଞ୍ଚିଛି। ଏହି ସମୟରେ କୋର୍ WPI ଦରଦାମ୍ ୩.୨% କୁ ବୃଦ୍ଧି ପାଇଛି, ଯାହା ବିଭିନ୍ନ ଶିଳ୍ପରେ କଞ୍ଚାମାଲ ଖର୍ଚ୍ଚ ବଢ଼ୁଥିବା ସଙ୍କେତ ଦେଉଛି।
ଯଦିଓ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି, କିନ୍ତୁ ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ କିଛିଟା ଆଶ୍ୱସ୍ତି ମିଳିଛି। ଏହି ବର୍ଗରେ ମୁଦ୍ରାସ୍ଫୀତି ହାର –୪.୦୧% ରହିଛି, ଯାହା ଡିସେମ୍ବର ମାସର –୨.୩୧% ତୁଳନାରେ ଅଧିକ ହ୍ରାସ ପାଇଛି।
ସରକାରଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ, ନଭେମ୍ବର ମାସର WPI ତଥ୍ୟକୁ ସଂଶୋଧନ କରାଯାଇଛି। ପୂର୍ବରୁ ଏହା ଯେତିକି ଅନୁମାନ କରାଯାଉଥିଲା, ବାସ୍ତବରେ ଦରଦାମ ବୃଦ୍ଧିର ଚାପ ତା’ଠାରୁ ଅଧିକ ରହିଛି।


