December 3, 2024

୮୯୦ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

1 min read

ବଲାଙ୍ଗିର: ବଲାଙ୍ଗିରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଶନିବାର ବଲାଙ୍ଗିର ଗସ୍ତ କରି ୮୯୦ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ବୋଧନ କରି ପୂର୍ବ ସରକାରଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ, ୬୫ କୋଟି ଟଙ୍କା ବ୍ୟୟରେ ତୁଷୁରା ଏୟାରଷ୍ଟ୍ରିପର ଉନ୍ନତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଏକାଧିକ ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

“ଆଜି ବଲାଙ୍ଗିରର ବହୁ ଦିନର ଆକାଂକ୍ଷା ପୂରଣ ହୋଇଛି। ଏସବୁ ଜିଲ୍ଲାରେ ବିକାଶରେ ବହୁତ ସହାୟକ ହେବ। ୩୦୧ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ବେଲପଡ଼ା ଓ ବଲାଙ୍ଗିରର ଜଳ ସମସ୍ୟା ଦୂର କରିବ। ପ୍ରକଳ୍ପ କାମ ଯଥା ସମୟରେ ସାରିବାକୁ ଆମର ଲକ୍ଷ୍ୟ ରହିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ବଲାଙ୍ଗିରରେ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ପାଇଁ ୨୬ ବର୍ଷ ଲାଗିଗଲା। ତଥାପି ଏଥିରୁ ଲୋକଙ୍କୁ ପାଣି ମିଳୁନି। ଆମ ସରକାରରେ ଏଭଳି ହେବ ନାହିଁ। ସବୁ ପ୍ରକଳ୍ପ ଠିକ୍ ସମୟରେ ସରିବ। ଆମେ ଓଡ଼ିଶାର ବିକାଶକୁ ଗୁରୁତ୍ଵ ଦେଉଛୁ। ଏହିସବୁ ପ୍ରକଳ୍ପ ରାଜ୍ୟର ଅର୍ଥନୀତିକୁ ଆହୁରି ତ୍ୱରାନ୍ୱିତ କରିବ।”

ବଲାଙ୍ଗିରରେ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ ସମେତ ଏକାଧିକ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପୂର୍ବ ସରକାରରେ ବ୍ୟାପକ ଦୁର୍ନୀତି ହୋଇଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ରାଜ୍ୟସଭା ସାଂସଦ ନିରଞ୍ଜନ ବିସି, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଏବଂ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଯୋଗ ଦେଇଥିଲେ।