November 4, 2024

କୌଶଳ କରି ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ଛାତ୍ର

1 min read

ପାରାଦୀପ : ସ୍କୁଲ ଯିବା ରାସ୍ତାରେ ଛାତ୍ରଙ୍କୁ ଅପହରଣ । ଅପହୃତ ଛାତ୍ରଜଙ୍କୁ ମାର୍ଶାଘାଇ ଥାନା ହଳଦିଆଗଡ଼ାରୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଜଗତସିଂହପୁର ଜିଲ୍ଲା ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ନିକଟରେ ଘଟିଛି ଏହି ଘଟଣା । ଅପହୃତ ଛାତ୍ର ହେଉଛନ୍ତି ଆଦିତ୍ୟ ନାଥ । ସେ ପାରାଦୀପ ବଡ଼ପଡ଼ିଆ ପୋର୍ଟ ଡିଏଭି ସ୍କୁଲର୧୦ମ ଶ୍ରେଣୀରେ ପଢୁଛନ୍ତି। ଅପହୃତଙ୍କ କବଳରୁ ଖସି ଆସିବାକୁ ସଫଳ ହୋଇଛନ୍ତି ଆଦିତ୍ୟ ।

ଘଟନାନୁସାରେ,ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଉଚ୍ଛବାନନ୍ଦପୁର ଛାତ୍ର ଆଦିତ୍ୟ ନାଥଙ୍କ ଘର । ସୋମବାର ସକାଳୁ ସ୍କୁଲ ଯିବାକୁ ଗାଡିକୁ ଅପେକ୍ଷା କରି ପନ୍ଦର ନମ୍ବର ଗଡ଼ା ପାଖରେ ଛିଡା ହୋଇଥିବାବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ଆସି ସେଠାରେ ଅଟକିଥିଲା । ଗଡିଭିତରୁ ଜଣେ ମହିଳା ଆସି ଆଦିତ୍ୟଙ୍କୁ ପାଣି ପି’ବା ପାଇଁ ମାଗିବାରୁ ଆଦିତ୍ୟ ସ୍କୁଲ ବ୍ୟାଗରୁ ପାଣି କାଢ଼ିବା ଭିତରେ ମହିଳାଙ୍କ ସମେତ ଗାଡି ଭିତରେ ଥିବା ଦୁର୍ବୁତ୍ତ ମାନେ ଧକ୍କମାରି ଆଦିତ୍ୟଙ୍କୁ ଗାଡି ଭିତରେ ଭର୍ତି କରି ଉଠାଇ ନେଇଥିଲେ । ଗାଡି ଭିତରେ ବସିଥିବା ଦୁର୍ବୁତ୍ତ ମାନେ ମୁହଁରେ କଳା କପଡା ବାନ୍ଧିଥିବା ସହିତ ହିନ୍ଦୀରେ କଥା ହେଉଥିଲେ । ସେମାନେ ଗାଡି ଭିତରେ ଆଦିତ୍ୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେବେ ସ୍କୋର୍ପିଓଟି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ହଳଦିଆଗଡ଼ାରେ ଯାଉଥିବା ବେଳେ ଫାଙ୍କା ଜାଗା ଦେଖି ଦୁର୍ବୃତ୍ତମାନେ ଗାଡ଼ି ଅଟକାଇଥିଲେ। ସେଠାରେ କାର୍‌ ଭିତରେ ଥିବା ମହିଳାଙ୍କୁ ଧକ୍କା ମାରି ଆଦିତ୍ୟ ବାହାରି ରାସ୍ତା ଉପରେ ଦୌଡ଼ି ଥିଲେ। ଏହି ସମୟରେ ଜଣେ ବାଇକ୍‌ ଆରୋହୀଙ୍କ ସାହାଯ୍ୟରେ ତାଙ୍କ ବାପାଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ତୁରନ୍ତ ଏନେଇ ପାଟକୁରା ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରି ପାରାଦୀପ ଲକ୍‌ ଥାନାକୁ ନେଇଥିଲେ। କୁଜଙ୍ଗ ପୋଲିସ ପହଞ୍ଚି ଆଦିତ୍ୟଙ୍କୁ ନେଇ ଘଟଣାର ତଦନ୍ତ ଜାରି ରଖିଛି ।