June 27, 2025

ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର

1 min read

ଭୁବନେଶ୍ବର: ଚଳିତବର୍ଷ ଓଡ଼ିଆ ପକ୍ଷ ପାଳନ କରିବେ ରାଜ୍ୟ ସରକାର। ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାଏଁ ରାଜ୍ୟରେ ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ହେବାକୁ ଥିବା ବିଭିନ୍ନ ଦିବସକୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଓଡ଼ିଆ ପକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ। ଏଥିରେ ଏପ୍ରିଲ ୧ ତାରିଖରେ ସବୁ ଜିଲ୍ଲାରେ ଧୁମଧାମରେ ପାଳନ ହେବ ଓଡ଼ିଶା ଦିବସ। ଏହାପରେ ଏପ୍ରିଲ ୨ ତାରିଖରେ ଖଡ଼ିଛୁଆଁ ଦିବସ ଏବଂ ୩ ତାରିଖରେ ‘ଆମ ପୋଷାକ ଆମ ପରିଚୟ’ ଦିବସ ପାଳନ ହେବ।

ଏହାପରେ ଏପ୍ରିଲ ୪ ତାରିଖରେ ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା ହେବ। ଏହାସହ ଏପ୍ରିଲ ୫ ତାରିଖରେ ଭୁବନେଶ୍ଵରରେ ଐତିହ୍ୟ ଗଣଦୌଡ଼ ଏବଂ ୬ ତାରିଖରେ ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହେବ।

ସେହିପରି ଏପ୍ରିଲ ୭ ତାରିଖରେ ବର୍ଣ୍ଣବୋଧ ଉତ୍ସବ, ୮ ତାରିଖରେ ରକ୍ତଦାନ ଦିବସ ଏବଂ ୯ ତାରିଖରେ ଆସ ବହିଟିଏ କିଣିବା ଦିବସ ପାଳିତ ହେବ। ଏହାସହ ୧୦ ତାରିଖରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ କରାଯାଇ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏଠାରେ ଲୋକ କଳାଗ୍ରାମର ପ୍ରଦର୍ଶନୀ ମଧ୍ୟ ହେବ।

ଅନ୍ୟପଟେ ଏପ୍ରିଲ ୧୧ ତାରିଖରେ ଯୁବ ଲେଖକ ସମ୍ମିଳନୀ, ୧୨ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟର ବରପୁତ୍ରଙ୍କ ସଂପର୍କରେ ଆଲୋଚନାଚକ୍ର ହେବ। ଏପ୍ରିଲ ୧୩ରେ ପାରମ୍ପରିକ ଖାଦ୍ୟ ଦିବସ ଏବଂ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ।

ଏହି ଓଡ଼ିଆ ପକ୍ଷ ପାଳନ ପାଇଁ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏହାକୁ ସଫଳ କରିବା ପାଇଁ ସବୁ ଜନସାଧାରଣଙ୍କୁ ଏଥିରେ ଯୋଡ଼ି ହେବ ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।