୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଟିମ୍ ହାତରେ
1 min read
ଭୁବନେଶ୍ବର: ପାଇକାରୀ ଔଷଧ ବିକ୍ରି ନିମନ୍ତେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅଭିଯୋଗକାରୀ/ଆବେଦନକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଟିମ୍ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ଯାଜପୁର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା।
ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଲାଞ୍ଚୁ୍ଆ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲରଜଣକ ଉକ୍ତ ଆବେଦନକାରୀଙ୍କ ଠାରୁ ପାରାଦୀପ-କଟକ ସଂଯୋଗ କରିଥିବା ଜାତୀୟ ରାଜପଥ-୫୩ ଛକର ରାସ୍ତାକଡ଼ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ଏହି ସମୟରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା।
ଆବେଦନକାରୀ ଜଣକ ୨୦୨୫ ମଇ ୧୧ ତାରିଖରେ ପାଇକାରୀ ଔଷଧ ଦୋକାନ ଖୋଲିବା ପାଇଁ ସ୍ବୀକୃତପତ୍ର ନିମନ୍ତେ ଆବେଦନ କରିଥିଲେ। ଏହା ମଧ୍ୟରେ ସେ ଜଗତସିଂହପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଅନେକଥର ଭେଟିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ସେ ବିଭିନ୍ନ ବାହାନା ଦେଖାଇ ଆବେଦନକୁ ଏଡ଼ାଇ ଦେଉଥିଲେ। ଶେଷରେ ସ୍ବୀକୃତିପତ୍ର ପ୍ରଦାନ କରିବାକୁ ୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।


