June 6, 2026

ସିନ୍ଧୁ, ଆୟୁଷଙ୍କ ବିଦାୟ କ୍ବାର୍ଟରରେ ଅର୍ଜୁନ-ହରିହରନ

1 min read

ଜାକର୍ତ୍ତା: ଇଣ୍ଡୋନେସିଆ ଓପନ ସୁପର-୧୦୦୦ ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପ୍‌ରେ ପୁରୁଷ ଯୁଗଳ କ୍ବାର୍ଟରଫାଇନାଲରେ ଭାରତୀୟ ଯୋଡ଼ି ଏମ୍‌.ଆର୍‌. ଅର୍ଜୁନ ଓ ଏ. ହରିହରନ ଯୋଡ଼ି ପହଞ୍ଚିଛନ୍ତି। ଅର୍ଜୁନ-ହରିହରନ୍‌ ୧୬-୨୧, ୨୧-୧୫ ଓ ୨୧-୧୯ରେ ମାଲେସିଆ ଯୋଡ଼ି କାନ ଖାଇ ଜାଙ୍ଗ-ଆରୋନ ତାଇ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ତେବେ ଏହି ପ୍ରତିଯୋଗିତାରୁ ଭାରତର ତାରକା ଖେଳାଳି ପି.ଭି ସିନ୍ଧୁ ବିଦାୟ ନେଇଛନ୍ତି। ଗୁରୁବାର ମହିଳା ଏକକ ପ୍ରିକ୍ବାର୍ଟରଫାଇନାଲରେ ଦୁଇଟି ଅଲିମ୍ପିକ୍‌ସ ପଦକ ବିଜୟିନୀ ସିନ୍ଧୁ ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଦକ୍ଷିଣ କୋରିଆର ଆନ୍‌ ସେ ୟଙ୍ଗଙ୍କ ନିକଟରୁ ୧୭-୨୧ ଓ ୧୪-୨୧ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ୟଙ୍ଗ ମ୍ୟାଚ୍‌କୁ ୪୪ ମିନିଟ୍‌ରେ ଜିତି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଦୁଇ ସପ୍ତାହରେ ୟଙ୍ଗଙ୍କଠାରୁ ଏହା ସିନ୍ଧୁଙ୍କ ୨ୟ ପରାଜୟ। ଗତ ସପ୍ତାହରେ ସିଙ୍ଗାପୁର ଓପନରେ ୟଙ୍ଗଙ୍କଠାରୁ ସିନ୍ଧୁ ପରାସ୍ତ ହୋଇଥିଲେ। ୟଙ୍ଗଙ୍କ ବିପକ୍ଷରେ ସିନ୍ଧୁ ଏବେ ସୁଦ୍ଧା ୧୦ଟି ଯାକ ମ୍ୟାଚରେ ପରାଜିତ ହୋଇଛନ୍ତି। ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲରେ ଆୟୁଷ ସେଟ୍ଟି ୨୧-୧୦, ୧୩-୨୧ ଓ ୧୪-୨୧ରେ ହଂକଂ ଚୀନର ଲି ଚିକୁ ୱିଙ୍କ ନିକଟରୁ ପରାଜିତ ହୋଇଛନ୍ତି। ମିଶ୍ରିତ ଯୁଗଳ ପ୍ରିକ୍ବାର୍ଟରରେ ଭାରତର ରୋହନ କପୁର-ଋତ୍ବିକା ଗାଡେ ଫ୍ରାନ୍‌ସର ଥୋମ ଗିକୁଏଲ-ଡେଲଫିନେ ଡେଲରୁଇଙ୍କଠାରୁ ୧୩-୨୧ ଓ ୧୨-୨୧ରେ ପରାଜିତ ହୋଇଛନ୍ତି।