March 10, 2026

ଖଣ୍ଡଗିରିରେ ଗୁଳି, ଚନ୍ଦ୍ରଶେଖରପୁରରେ ପଥର ଛେଚି ହତ୍ୟା

1 min read

ଭୁବନେଶ୍ବର: ଅଶାନ୍ତ ରାଜଧାନୀରେ ଦୁର୍ବୃତ୍ତମାନେ ଦୁଇ ଦୁଇଟି ମୁଣ୍ଡ ଗଡ଼ାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଚୁନୁକୋଳି ବସ୍ତିରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଜି ସକାଳୁ ସକାଳୁ ଖଣ୍ଡଗିରି ଥାନା ସରକନ୍ତରାରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାଜଧାନୀ ଛାତି ଉପରେ ମାତ୍ର ୫/୬ଘଣ୍ଟା ଭିତରେ ଘଟିଥିବା ଦୁଇ ଦୁଇଟି ଛାତିଥରା ହତ୍ୟାକାଣ୍ଡ ରାଜଧାନୀବାସୀଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ସପ୍ତାହରେ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳ‌ରେ ଏକ ଆଶ୍ରମରେ ଗୁଳିକାଣ୍ଡ ଘଟିଥିଲା। ପୁଲିସ ସେହି ମାମଲାରେ ଦୁର୍ବୃତ୍ତମାନଙ୍କୁ ଗିରଫ କରିଥି‌ଲେ ହେଁ ପୁଣି ଦୁଇ ଦୁଇଟି ହତ୍ୟାକାଣ୍ଡ ଯୋଗୁ ରାଜଧାନୀ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସରକନ୍ତରା ଗାଁ ଦାଣ୍ଡରେ ଗୁଳିମାଡ଼ ହେଲା। ସବୁଦିନ ଭଳି ଭୁବନେଶ୍ବର ଏମ୍‌ସରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ପଠାଣି ଖୁଣ୍ଟିଆଙ୍କ ପୁଅ ସୁଧାଂଶୁ ଡ୍ୟୁଟିକୁ ବାହାରିଥିଲେ। ସେ ଘରଠାରୁ ମାତ୍ର ୨୦୦ ମିଟର ଯାଇଛନ୍ତି, ସୁଧାଂଶୁଙ୍କୁ ତାଙ୍କ ଦାଦା ସୁକାନ୍ତ ଖୁଣ୍ଟିଆଙ୍କ ପୁଅ ଶିବା ଓ ତା’ର ୨ ସହଯୋଗୀ ଅଟକାଇଥିଲେ। ସୁଧାଂଶୁ କିଛି ବୁଝିବା ପୂର୍ବରୁ ଶିବା ବନ୍ଧୁକ ବାହାର କରି ଆଖିବୁଜା ଗୁଳିମାଡ଼ କଲା।