January 14, 2026

ଟପ ଟେନ ତାଲିକାର ୨ୟ ସ୍ଥାନରେ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ

1 min read

ବୁଗୁଡ଼ା: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି l ବୁଗୁଡ଼ା ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶିବାନୀ ରାଉତ ୧୪୦୦ ମାର୍କରୁ ୧୧୮୭ ମାର୍କ ହାସଲ କରି ଶ୍ରେଷ୍ଠ ଦଶ ତାଲିକାର ଦ୍ବିତୀୟ ସ୍ଥାନରେ ରହି କଲେଜ ପାଇଁ ଗୌରବ ଆଣିଛନ୍ତି । ଶିବାନୀ ବେଲଗୁଣ୍ଠା ବ୍ଲକ ଅଧିନସ୍ଥ ଜିରୋଳି ଗ୍ରାମର ନିରାକାର ରାଉତ ଏବଂ ମମତା ରାଉତଙ୍କ ସୁକନ୍ୟା ହୋଇଥିବା ବେଳେ ସେ ମାମୁଁ ଘର ରାମଣ୍ଡାରେ ରହି ପିପୁଲ୍ସ କଲେଜରେ ଅଧୟନ କରୁଥିଲେ। ଶିବାନୀ ଆଗକୁ ଦିଲ୍ଲୀର ଜବାହାର ଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସହ ୟୁପିଏସସି ପରୀକ୍ଷା ଦେଇ ପ୍ରଶାସିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେ ତାଙ୍କ ସଫଳତାର ଶ୍ରେୟ କଲେଜର ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ତତ୍ତ୍ବାବଧାନରେ ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷାଦାନ ବ୍ୟବସ୍ଥା ସାଙ୍ଗକୁ ବିଭଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଡକ୍ଟର ବିନୋଦ କୁମାର କର, ଲୋକନାଥ ବେହେରା, ପବିତ୍ର ଖଣ୍ଡୁଆଳ ପ୍ରମୁଖ ଅଧ୍ୟାପକବୃନ୍ଦଙ୍କୁ ଦେଇଛନ୍ତି । ସୂଚନାଯୋଗ୍ୟ , ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷାର୍ଥୀ ୨୦୨୨ ରୁ ୨୦୨୫ ଲଗାତର ୪ ବର୍ଷ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ଶେଷ ବର୍ଷ ପରୀକ୍ଷା ଫଳରେ ଶ୍ରେଷ୍ଠ ଦଶ ତାଲିକା ଭିତରେ ସ୍ଥାନ ପାଇ ଆସୁଛନ୍ତି। ତେବେ ଏଥର ଛାତ୍ରୀ ଶିବାନୀଙ୍କ କୃତିତ୍ୱ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ଜଣାଯାଇଛି।