ରଥଯାତ୍ରାରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
1 min read
ଭୁବନେଶ୍ବର: ଜଗନ୍ନାଥ ଏ ଜାତିର ଜାତକ, ଜଗନ୍ନାଥ ଆମ ପରିଚୟ । ଏ ଜଗତର ସୃଷ୍ଟିକର୍ତ୍ତା । ଜଗନ୍ନାଥ କଳିଯୁଗର ଚଳନ୍ତି ପ୍ରତିମା । ଜଗନ୍ନାଥ ଆମ ରାହା ଆମ ସାହା ବି.. ମହାପ୍ରଭୁଙ୍କ ବିନା ଓଡିଆଙ୍କ ପରିଚୟ ନାହିଁ, ଏ ଜାତିର ସୃଷ୍ଟି ନାହିଁ । ସେହି ମହାବାହୁ ଆଜି ଯେତେବେଳେ ବଡଦାଣ୍ଡକୁ ଭାଇ ଭଉଣୀଙ୍କ ସହ ନବଦିନାତ୍ମକ ଯାତ୍ରାରେ ଆସୁଛନ୍ତି ସେତେବେଳେ ଉତ୍ସବ ମୁଖର ହୋଇଛି ପୂରା ଓଡିଶା, ପୂରା ଭାରତ, ପୂରା ଜଗତ । ଆଉ ଭକ୍ତ କରିଛନ୍ତି ଭଗବାନଙ୍କୁ ଅପେକ୍ଷା ।
ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମଡିଆ ଏକ୍ସରେ ପୋଷ୍ଟ କରି ମହାମହିମ ଲେଖିଛନ୍ତି-
ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ୍ସରେ ପୋଷ୍ଟ କରି ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ମାଧ୍ୟରେ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଓଡିଆରେ ଲେଖି ମୋଦୀ ଶୁଭେଚ୍ଛା ଜଣାଇଥିବା ବେଳେ ଭିଡିଓରେ ପ୍ରଧାନମନ୍ତ୍ରୀ କହିଛନ୍ତି-
ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଅଟନ୍ତି, ପ୍ରେରଣା ବି ଅଟନ୍ତି । ଜଗନ୍ନାଥ ଅଛନ୍ତି ମାନେ ଜୀବନ ଅଛି । ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବାକୁ ନଗର ଭ୍ରମଣରେ ଯାଆନ୍ତି । ଦେଶରେ ରଥଯାତ୍ରାର ସ୍ବତନ୍ତ୍ର ପରିଚୟ ଅଛି । ପବିତ୍ର ରଥଯାତ୍ରାରେ ସମସ୍ତଙ୍କୁ ଶୁଭେଚ୍ଛା, ଜୟ ଜଗନ୍ନାଥ..