ପ୍ରେମ ଜାଲରେ ଫସାଇ କଲେ ଗର୍ଭବତୀ, ବିବାହ କରିବା ଜିଦ୍ ଧରିବାରୁ ହତ୍ୟା ଧମକ
1 min read
ଦିଗପହଣ୍ଡି: ଗଞ୍ଜାମ ଜିଲା ପାଟପୁର ପୋଲିସ ସିଙ୍ଗପୁର ଗ୍ରାମର ବି.ଅଶ୍ୱିନୀ କୁମାର ଦୋରାଙ୍କୁ ଶୁକ୍ରବାର ଗିରଫ କରିଛନ୍ତି। ଅଶ୍ୱିନୀ ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିଥିଲେ। ପରେ ତାଙ୍କ ଗର୍ଭପାତ କରାଇ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୪୨୨/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଶୁକ୍ରବାର ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ଶନିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି କହିଛନ୍ତି।
ସୂଚନାନୁଯାୟୀ, ଅଶ୍ୱିନୀ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅଭିଯୁକ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ତାଙ୍କୁ ସିଙ୍ଗପୁର ଗ୍ରାମରେ ଥିବା ପେପର ପ୍ଲେଟ କାରଖାନାରେ ନେଇ ରଖିଥିଲେ। ପରେ ବ୍ରହ୍ମପୁର ନେଇ ଏକ ଭଡ଼ା ଘରେ ରଖିଥିଲେ। ଉଭୟେ ସ୍ବାମୀସ୍ତ୍ରୀ ଭଳି ଚଳି ଆସୁଥିଲେ। ଯୁବତୀଙ୍କ ନିକଟରୁ ଅଶ୍ୱିନୀ ବିଭିନ୍ନ ସମୟରେ ପ୍ରାୟ ୨ ଲକ୍ଷ ଟଙ୍କା ଓ ସୁନା କାନଫୁଲ କୌଶଳ କ୍ରମେ ନେଇ ଯାଇଥିଲେ। ଯୁବତୀ ଜଣଙ୍କ ଗର୍ଭବତୀ ହେବାପରେ ସେ ତାଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ। ଅଶ୍ୱିନୀ ତାଙ୍କୁ ଗର୍ଭପାତ କଲେହିଁ ବିବାହ କରିବାକୁ କହିଥିଲେ। ପରେ ଅଶ୍ୱିନୀ ଔଷଧ ଦେଇ ତାଙ୍କ ଗର୍ଭପାତ କରାଇଥିଲେ। ଏହାସତ୍ତ୍ୱେ ପରେ ତାଙ୍କ ସହ କୌଣସି ସମ୍ପର୍କ ରଖି ନ ଥିଲେ। ଯୁବତୀ ଜଣକ ବାରମ୍ବାର ଯୋଗାଯୋଗ କରିବାରୁ ସେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି।