March 14, 2026

ଦୁଇ ଜଣ ଗଂଜେଇ ନେଉଥିବା ବେଳେ ପୁଲିସ ହାବୁଡ଼ରେ

1 min read

ମୈଦଲପୁର: ନବରଂଗପୁର ଜିଲ୍ଲା ମୈଦଲପୁର ଥାନା ଅଧୀନ ହାଟପଦା ନିକଟରେ ଆଜି ପାହାନ୍ତିଆରେ ଦୁଇ ଜଣ ଗଂଜେଇ ନେଉଥିବା ବେଳେ ପୁଲିସ ହାବୁଡ଼ରେ ପଡିଛନ୍ତିl ଅଭିଯୁକ୍ତ ଦ୍ୱୟ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ବାଗବେଡ଼ା ଗ୍ରାମର ସୁରେଶ ମାଝୀ (୨୪) ଓ ଧନେଶ୍ୱର ହରିଜନ (୨୦)l ସେମାନଙ୍କ ଠାରୁ ୩୯କିଲୋ ୩୧୦ ଗ୍ରାମ ଗଂଜେଇ, ଦୁଇଟି ବାଇକ ଓ ଦୁଇ ହଜାର ପଚାଶ ଟଙ୍କା ଜବତ ହୋଇଛି l ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏ ଏସ୍‌ପି ଆଦିତ୍ୟ ସେନl ସୂଚନା ଅନୁସାରେ, ମୈଦଲପୁର ପୁଲିସ ପାହାନ୍ତିଆ ବେଳେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୈଦଲପୁର ସାପ୍ତାହିକ ହାଟପଦା ନିକଟରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ୪ଟି ଏୟାର ବ୍ୟାଗ ଧରି ଆନ୍ଦ୍ରା ଅଭିମୁଖେ ଯିବା ପାଇଁ ବସ କୁ ଅପେକ୍ଷା କରିଥିଲେl ପୁଲିସ ସନ୍ଦେହ କରି ପଚରାଉଚରା କରି ବ୍ୟାଗ ଯାଞ୍ଚ କରିଥିଲେ l ବ୍ୟାଗ ଭିତରୁ ଦଶ ଗୋଟି ଜରି ପ୍ୟାକେଟ ରେ ଗଂଜେଇ ବାହାରିଥିଲାl ଉକ୍ତ ସମୟରେ ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା,ଏସଡିପିଓ ସତ୍ୟଜିତ କଣ୍ଡେଲକେଲ, ଥାନା ଅଧିକାରୀ ଯୁଗଳ ଶବର ପ୍ରମୁଖ ଉପସ୍ଥିତ ଥିଲେ l ଏ ନେଇ ଥାନାରେ ଏକ ମାମଲା ରଜୁ ହୋଇଛି l