January 27, 2026

ପରଲୋକରେ କବି ଡକ୍ଟର ବଂଶୀଧର ଚୌଧୁରୀ

1 min read

ବାଲେଶ୍ଵର: ‘ଲାଲପତ୍ର ସବୁଜ ସକାଳେ’, ‘ନକ୍ସା’ ତିଆରି କରି ‘ରକ୍ତାକ୍ତ ନୀଳଜହ୍ନ’ରେ ଯିଏ ‘ଚଷା ପୁଅ କୁଜ’ର ‘ଚିତ୍ରାଙ୍କନ କରି ‘ଗୁମସୁମ ଗୁମଡୁହା’ରେ ‘ପକ୍ଷୀ ଗାଉଥାଉ ଗୀତ’ର ‘ଧୂନ’ ସୃଷ୍ଟି କରି ଏକ ସବୁଜ ପୃଥିବୀର ପରି କଳ୍ପନା କରିଥିଲେ, ସେଇ ମାନବବାଦୀ କବି ଡକ୍ଟର ବଂଶୀଧର ଚୌଧୁରୀ ଆଉ ନାହାଁନ୍ତି। ଡିସେମ୍ବର ୯ ତାରିଖରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।

ଡକ୍ଟର ବଂଶୀଧର ଚୌଧୁରୀ ଜଣେ କବି, ପ୍ରାବନ୍ଧିକ ଏବଂ ଆଲୋଚକ ଭାବେ ସମଗ୍ର ରାଜ୍ୟରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ଭ୍ରମଣ ସାହିତ୍ୟ ଉପରେ ଗବେଷଣା କରି ସେ ସର୍ବପ୍ରଥମ ପିଏଚଡି ହାସଲ କରିଥିଲେ।

ନୀଳଗିରି, ରୁପ୍ସା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟ କରି ବାଲେଶ୍ଵର ମହିଳା କଲେଜରୁ ୨୦୧୬ ମସିହାରେ ଅବସର ଗ୍ରହଣ କରିବା ପରେ ମେଘଡମ୍ବରୁସ୍ଥିତ ନିଜ ଘରେ ସାହିତ୍ୟ ସାଧନାରେ ବ୍ୟସ୍ତ ଥିଲେ। ଗତ କିଛି ମାସ ଧରି ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ।

ତାଙ୍କ ବିୟୋଗ ଖବର ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଝିଅ ଓ ଆତ୍ମୀୟମାନେ ଉପସ୍ଥିତ ଥିଲେ।

ସ୍ୱର୍ଗତଃ ଚୌଧୁରୀଙ୍କ ଶେଷ ଦର୍ଶନ ପାଇଁ ବାଲେଶ୍ଵରର ବହୁ ଅଧ୍ୟାପକ, ବୁଦ୍ଧିଜୀବୀ, ସମାଜସେବୀ, ସାହିତ୍ୟିକ, ରାଜନେତା ତାଙ୍କ ବାସଭବନରେ ପହଞ୍ଚି ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ବଂଶୀଧର ଚୌଧୁରୀଙ୍କ ଜନ୍ମ ୧୯୫୬ ମସିହା ଡିସେମ୍ବର ମାସ ୨୫ ତାରିଖରେ ବାଲେଶ୍ଵର ଜିଲ୍ଲା ରାଜବ୍ରହ୍ମପୁର ନୀଳଗିରିରେ ହୋଇଥିଲା। ପରେ ବାଲେଶ୍ଵରର ମେଘଡ଼ମ୍ବରୁରେ ରହୁଥିଲେ।