March 31, 2026

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ

1 min read

ଦିଗପହଣ୍ଡି: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚନ୍ଦ୍ରଶେଖର ମହାପାତ୍ର ଅଭିଯୋଗ କରିଛନ୍ତି। ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ ପ୍ରତିମାସରେ ଠିକ ସମୟରେ ଚାଉଳ ପାଉନାହାନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏଫସିଆଇ ଚାଉଳ ଗୋଦାମରୁ ବିଭିନ୍ନ ଚାଉଳ ବଣ୍ଟନ କେନ୍ଦ୍ର ଗୁଡ଼ିକୁ ପରିବହନ ପାଇଁ ଟେଣ୍ଡର ନେଇଥିବା ଠିକାଦାରଙ୍କ ମନମାନି ଯୋଗୁ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଚଳିତ ମାସର ଚାଉଳ ନେବାପାଇଁ ବିଭିନ୍ନ ଗ୍ରାମରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ହିତାଧିକାରୀ ମାନେ ଚାଉଳ ନପାଇ ଫେରି ଯାଉଥିବା ଅଭିଯୋଗ ହେଉଛି। ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାରଙ୍କ ଚୁକ୍ତିନାମାକୁ ରଦ୍ଦ କରିବାକୁ ଦାବି ହେଉଛି। ଏନେଇ ସାନଖେମୁଣ୍ଡି ବ୍ଲକ ଯୋଗାଣ ବିଭାଗ ମାର୍କେଟିଂ ଇନ୍ସପେକ୍ଟର ଅକ୍ଷୟ କୁମାର ସେଠୀ ଙ୍କୁ ପଚାରିବାରୁ ଅଭିଯୋଗ ମିଳିବାପରେ ଦାୟିତ୍ୱରେ ଥିବା ପରିବହନ ଠିକାଦାରଙ୍କୁ ତାଗିଦ କରାଯାଇଛି। ଟେଣ୍ଡର ନେଇଥିବା ନୟାଗଡ଼ର ପରିବହନ ଠିକାଦାର ଦୀପକ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ଟ୍ରକ ଡ୍ରାଇଭର ଅସୁସ୍ଥ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଖୁବଶୀଘ୍ର ଚାଉଳ ବଣ୍ଟନ କେନ୍ଦ୍ର ଗୁଡ଼ିକୁ ଚାଉଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି।