May 16, 2025

ପହଲଗାମ ଆତଙ୍କବାଦୀ ଆକ୍ରମଣ

1 min read

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ସମେତ କିଛି ସ୍ଥାନୀୟ ନାଗରିକ ସାମିଲ ଅଛନ୍ତି। ଏହି ଆକ୍ରମଣରେ ଆହତ ହୋଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଶ୍ରୀନଗରରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନାମକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଏବଂ ପରିଚୟପତ୍ର ଦେଖି ଗୁଳିମାରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହାପରେ ସେ ପହଲଗାମ୍ ଯିବାର ଯୋଜନା ରହିଛି। ବୁଧବାର ଅପରାହ୍ଣରେ ଶ୍ରୀନଗରରୁ ମୃତ ଦେହକୁ ନିଜ ନିଜ ପରିବାର ବର୍ଗଙ୍କ ପାଖକୁ ପଠାଯିବ।

ପହଲଗାମ ଆକ୍ରମଣରେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀ ରହିଛନ୍ତି। ସେ ବାଲେଶ୍ଵରରୁ ସପରିବାର ପହଲଗାମ୍‌କୁ ବୁଲିବାକୁ ଯାଇଥିଲେ। ତେବେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଅଛନ୍ତି।

ଅନ୍ୟପଟେ ଏହି ଆକ୍ରମଣ ପରେ ସାଉଦି ଆରବ ଯାତ୍ରାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧାରୁ ଫେରି ଆସିଛନ୍ତି। ସେ ପହଞ୍ଚିବା ପରେ ଦିଲ୍ଲୀ ବିମାନବନ୍ଦରରେ ଏନଏସଏ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।