ଗଞ୍ଜେଇ ଚାଲାଣ ବେଳେ ପାଡୁଆ ପୋଲିସର ଚଢ଼ଉ, ୫ ଅଭିଯୁକ୍ତ ଗିରଫ
1 min read
କୋରାପୁଟ: ଗଞ୍ଜେଇ ଚାଲାଣ ବେଳେ ପାଡୁଆ ପୋଲିସର ଚଢ଼ଉ, ୫ ଅଭିଯୁକ୍ତ ଗିରଫ
ଜୟପୁର): ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ ଚଢାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜୟପୁର ସଦର ଥାନା କୁସୁମପୁଟର ଲାଲ ବାହାଦୁର ଦର୍ଜି, ମାଛକୁଣ୍ଡ ବାଲେଲ ଗ୍ରାମର ତ୍ରିନାଥ ଖରା, ସୁରେଶ ବିଷୋୟୀ, ସଞ୍ଜୟ ଖରା ଓ ଡ୍ରାଇଭର ଯୋଗେଶ ଖରା। ଏ ସମ୍ପର୍କରେ ଜୟପୁର ଏସଡିପିଓ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି ରୋହିତ ବର୍ମା।
ଗିରଫ ଲାଲ ବାହୁଦର ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଏସପି କହିଛନ୍ତି। ଅଭିଯୁକ୍ତମାନଙ୍କଠାରୁ ୩୫୦ କିଲୋଗ୍ରାମ ଗଞ୍ଜେଇ, ଦୁଇଟି ପିସ୍ତଲ ଓ ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ବୋଲେରୋ ଜବତ କରାଯାଇଛି।
ପାଡ଼ୁଆରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇଥିଲା ପାଡ଼ୁଆ ପୋଲିସ। ପୋଲିସର ଗୋଟିଏ ଟିମ୍ ସମ୍ପୃକ୍ତ ଗାଡ଼ିକୁ ଜବତ କରିବା ପାଇଁ ଜଗି ରହିଥିଲେ। ପୋଲିସକୁ ଦେଖି ଗୋଟିଏ ବୋଲେରୋ ଦ୍ରୁତ ଗତିରେ ଯିବାକୁ ଉଦ୍ୟମ କରୁଥିବା ବେଳେ ସେହି ଗାଡ଼ିର ପିଛା କରିଥିଲା ପୋଲିସ। କିଛି ସମୟ ପରେ ବୋଲେରେ ଡ୍ରାଇଭର ଅଧାବାଟରେ ଗାଡ଼ିଟିକୁ ଛାଡ଼ି ଚମ୍ପଟ ମାରିଥିଲା। ଗାଡ଼ିରେ ଥିବା ଅଭିଯୁକ୍ତମାନେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ପଳାଇବାକୁ ସକ୍ଷମ ହୋଇଥିଲେ।
ପରେ ପୋଲିସ ପିଛା କରି ଅଭଯୁକ୍ତମାନଙ୍କୁ ଠାବ କରିଥିଲା। ଏହି ସମୟରେ ଅଭିଯୁକ୍ତମାନେ ପିସ୍ତଲ ଦେଖାଇ ପୋଲିସକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ହେବାରେ ସଫଳ ହୋଇଥିଲା।