ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ
1 min read
ଭୁବନେଶ୍ୱର: ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍)କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦ ଓଡିଶା ସମ୍ମାନ । ନେଟଓ୍ୱାର୍କ 18 ପକ୍ଷରୁ ଗତ କାଲି ଭୁବନେଶ୍ୱରଠାରେ ଆୟୋଜିତ ଆତ୍ମ ନିର୍ଭର ଓଡିଶା ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିହବନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଓ ଡେପୁଟି ମ୍ୟାନେଜର ଡାକ୍ତର ବିଶ୍ୱରଂଜନ ତ୍ରିପାଠୀ ମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ପୁରସ୍କାର ପାଇବା ପରେ ଓମ୍ଫେଡ୍ କର୍ମଚାରୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି ହୋଇଛି । ଏହି ସ୍ୱୀକୃତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ କଠୋର ପରିଶ୍ରମ ଏବଂ ଅଗଣିତ ଗ୍ରାହକଙ୍କର ଭଲ ପାଇବାର ପ୍ରତୀକ । ଓମ୍ଫେଡ ରାଜ୍ୟର କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚି ପାରିଥିବାରୁ ସେମାନଙ୍କ ନିକଟରେ ଆମେ କୃତଜ୍ଞ ବୋଲି ପୁରସ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ଓମ୍ଫେଡ୍ ସଭାପତି ଶ୍ରୀ ପ୍ରଧାନୀ ।
କ୍ଷୀର କହିଲେ ଓମ୍ଫେଡ୍ । ଏହା ଆଜି ଘରେ ଘରେ ପରିଚିତ । ଏହାର ଗୁଣବତ୍ତା ଏବଂ ବ୍ୟାପକତା ପାଇଁ ଓମ୍ଫେଡ୍ ଆଜି କେବଳ ଓଡିଶା ନୁହେଁ, ଓଡିଶା ବାହାରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶୁଦ୍ଧତା ଓ ଉତ୍ତମ ଗୁଣମାନର ଦୁଗ୍ଧ ହୋଇଥିରୁ ଲୋକମାନଙ୍କ ଭରସା ଓ ବିଶ୍ୱାସ ଜିତିପାରିଛି । କେବଳ ଦୁଗ୍ଧ ନୁହେଁ, ଓମ୍ଫେଡ୍ ର ବିଭିନ୍ନ ଉତ୍ପାଦ ଯଥା-ଘିଅ, ମିଠା ଓ ସାଧା ଦହି, ପେଡା, ଆଇସକ୍ରିମ୍, ଫ୍ଲେବର ମିଲ୍କ, ପନିର, ଦୁଗ୍ଧ ଗୁଣ୍ଡ ଇତ୍ୟାଦି ଘରେ ଘରେ ପରିଚିତ । ଶୁଦ୍ଧତା ପାଇଁ ଆଜି ଓମ୍ଫେଡ୍ ଘିଅ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଛି । ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ନିରୀକ୍ଷା ହେବା ସହ ଅଗଣିତ ଗ୍ରାହକଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇ ଦେବାକୁ ଓମ୍ଫେଡ୍ ସଦାସର୍ବଦା ଉଦ୍ୟମ ଜାରି ରଖିଛି । ଗୁଣବତ୍ତାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଓମ୍ଫେଡର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଓମ୍ଫେଡ୍ ତାର ସ୍ୱଚ୍ଛ ଓ ଶୁଦ୍ଧତା ପାଇଁ ଆଜି ରାଜ୍ୟବାସୀଙ୍କର ବିଶ୍ୱାସ ଜିତି ପାରିଛି । ଏ ସମ୍ମାନ ଓ ଶ୍ରେୟ ଓମ୍ଫେଡ୍ ର ଲକ୍ଷ ଲକ୍ଷ ଚାଷୀ, ଅଗଣିତ ଗ୍ରାହକ ଏବଂ କଠୋର ପରିଶ୍ରମ କରୁଥିବା କର୍ମଚାରୀଙ୍କର ବୋଲି ସେ କହିଛନ୍ତି ।


