ତେଲଟାଙ୍କି ବନ୍ଦ, ଗ୍ୟାସ୍ ପାଇଁ ହନ୍ତସନ୍ତ
1 min read
ନବରଙ୍ଗପୁର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ନବରଂଗପୁର ଜିଲ୍ଲାରେ ରନ୍ଧନଗ୍ୟାସ ଓ ତେଲ ଉପରେ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସ୍ଥିତିରେ ଜିଲ୍ଲାରେ ୫୦ଟି ତେଲଟାଙ୍କିରୁ କିଛି ଟାଙ୍କି ବନ୍ଦ ରହିଛି। ସଦରଉପକଣ୍ଠ ଚାଉଁରିଆଗୁଡାସ୍ଥ ପେଟ୍ରୋଲ ଟାଙ୍କି ବନ୍ଦ ରହିଛି। ବାଇପାସର ଗୋଟିଏ ପେଟ୍ରୋଲ ଟାଙ୍କି ଦିନକ ବନ୍ଦ ପରେ ପୁଣି ଖୋଲିଛି। ତେବେ ତେଲ ପାଇଁ ତେଲଟାଙ୍କି ଓ ରନ୍ଧନଗ୍ୟାସ୍ ପାଇଁ ଏଜେନ୍ସି ଗୁଡିକ ନିକଟରେ ଉପଭୋକ୍ତାମାନେ ଲମ୍ବାଲାଇନରେ ରହୁଥିବା ଦେଖିବାକୁ ମିଳିଛି।
ବୁକିଂ ପାଇଁ ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନକୁ ବଢାଇ ଦିଆଯାଇଛି। ବୁକିଂ କଲେ ବୁକିଂ ହେଉନି। ବରଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗ୍ୟାସ୍ ଏଜେନ୍ସି ଆଗରେ ଲମ୍ବାଧାଡି କମିବାର ନାଁ ନେଉନି। ତେଣୁ ଲୋକେ ଏଜେନସୀ ନିକଟରେ ଗ୍ୟାସ୍ ଟାଙ୍କି ନେଇ ଲମ୍ବାଲାଇନରେ ରହି ବୁକିଂ କରୁଥିବା ଦେଖିବାକୁ ମିଳିଛି। ଏଜେନ୍ସିରୁ ରସିଦ ନେଇ ସିଧା ଗୋଦାମରେ ପହଞ୍ଚି ଗ୍ୟାସ୍ ଉଠାଇ ନେଉଛନ୍ତି।
ପ୍ରତିଦିନ ଜିଲ୍ଲା ପାଇଁ ପ୍ରାୟ ୨ ହଜାର ସିଲିଣ୍ଡର ଆବଶ୍ୟକ ଥିବା ବେଳେ ଏବେ ମାତ୍ର ୨ ଦିନ ପାଇଁ ଏହା ମହଜୁଦ୍ ରହିଛି। ଏଭଳି ସ୍ଥିତିରେ କେତେକ ଦଲାଲ ଏଜେନ୍ସିରୁ ସିଧାସଳଖ ଗ୍ୟାସ୍ ସିଲିଣ୍ଡର ନେଇ ଚଢାଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ୩ଟି କମ୍ପାନି ଏଲ୍ପିଜି ଯୋଗାଉଥିବା କମ୍ପାନିର ୨ଲକ୍ଷ ୨୯ହଜାର ୨୨୫ଗ୍ରାହକ ଅଛନ୍ତି। ପ୍ରତିଦିନ ଜିଲ୍ଲା ପାଇଁ ୧୯୮୮ ଗ୍ୟାସ ସିଲିଣ୍ଡର ଆବଶ୍ୟକ।
ବର୍ତ୍ତମାନ ଜିଲ୍ଲାରେ ଏଚପିସିଏଲ୍ ନିକଟରେ ୧୭୫୦, ବିପିସିଏଲ୍ ୨୧୩ ଓ ଆଇଓସିଏଲ୍ ୧୯୫୫ ଏଭଳି ୩୯୧୮ ଘରୋଇ ଗ୍ୟାସ ସିଲିଣ୍ଡର ଓ ୩୦୦ଟି ବାଣିଜ୍ୟିକ ଗ୍ୟାସ୍ ସିଲଣ୍ଡର ଗଚ୍ଛିତ ରହିଛି। ୨ଦିନି ପାଇଁ ସିଲିଣ୍ଡର ରହିଛି। ଜିଲ୍ଲା ପାଇଁ ଗ୍ୟାସ୍ ସିଲିଣ୍ଡର ଗାଡିଗୁଡିକ ରାସ୍ତାରେ ରହିଛି। ଗ୍ୟାସ ଆମଦାନୀକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସଙ୍କଟ ଦେଖାଯାଇନି। କିନ୍ତୁ ଆଗକୁ କ’ଣ ହେବ କିଛି କହି ହେବ ନାହିଁ ବୋଲି କହିଛନ୍ତି ସିଏସଓ।
ଅନ୍ୟପକ୍ଷରେ ଜିଲ୍ଲାର ୫୦ଟି ପେଟ୍ରୋଲ ପମ୍ପ ରହିଛି। ବର୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପଗୁଡିକରେ ୪ଟି କମ୍ପାନିର ଡିଜେଲ ୭ଲକ୍ଷ ୯ହଜାର ୮୪୫ଲିଟର ଓ ୪ଲକ୍ଷ ୯୧ହଜାର ୭୬୪ଲିଟର ପେଟ୍ରୋଲ ଗଚ୍ଛିତ ରହିଛି ବୋଲି ସିଏସଓ ଦେବାଶିଷ ମହାନ୍ତି କହିଛନ୍ତି। କେବଳ ଅଣ ଘରୋଇ ଏଲପିଜି ଯୋଗାଣ ବନ୍ଦ ରହିଛି। ଘରୋଇ ଗ୍ୟାସକୁ କୌଣସି ହୋଟେଲ କିମ୍ବା ଜଳଖିଆ ଦୋକାନଙ୍କ ଗୃହରେ ଯୋଗାଣ କରାଯିବ ନାହିଁ ବୋଲି କହିଛନ୍ତି ସିଏସଓ।


