June 4, 2026

ଓଡ଼ିଶାର କୃଷି ବର୍ଷକୁ ୫.୩ ପ୍ରତିଶତ ବଢ଼ୁଛି

1 min read

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଖରିଫ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତhକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାରେ କୃଷିର ବିକାଶ କଥା ବର୍ଣ୍ଣନା କରିବା ସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷି କ୍ଷେତ୍ର ଆନୁମାନିକ ୫.୩% ହାରରେ ଅଭିବୃଦ୍ଧି ହାସଲ କରୁଛି, ଯାହା ଜାତୀୟ ହାର (୩.୧%) ତୁଳନାରେ ଯଥେଷ୍ଟ ଅଧିକ ବୋଲି କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଛନ୍ତି, ଏହି ଅର୍ଥନୈତିକ ସଫଳତା ଗତ ୨୦୨୪-୨୫ ବର୍ଷ ମଧ୍ୟରେ ରାଜ୍ୟରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ରୁ ଅଧିକ ଖାଦ୍ୟଶସ୍ୟ ଏବଂ ୧୫୬ ଲକ୍ଷ ମେଟ୍ରିକ ଟନ୍ ଉଦ୍ୟାନ କୃଷି ଉତ୍ପାଦ ଅମଳ କରାଯାଇଛି।

ଏହି ଅବସରରେ, ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ଆସନ୍ତା ୨୦୨୬ ଖରିଫ ସିଜିନ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷ ୫୭.୪୦ ଲକ୍ଷ ହେକ୍ଟର ଜମିରେ ଚାଷ କରିବାର ବୃହତ ଲକ୍ଷ୍ୟ ରଖାଯାଇଛି। ଏହି ମହତ୍ତ୍ୱାକାଂକ୍ଷୀ ଚାଷ ଅଭିଯାନକୁ ସହାୟତା କରିବା ପାଇଁ ଓଡ଼ିଶା ପକ୍ଷରୁ ୪ ଲକ୍ଷ କ୍ୱିଣ୍ଟାଲ ପ୍ରାମାଣିକ ବିହନ ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଏବଂ ସଠିକ୍ ସମୟରେ ୧୧.୪୩ ଲକ୍ଷ ମେଟ୍ରିକ ଟନ୍ ସାର ମହଜୁଦ ରଖିବା ପାଇଁ ୨୪୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ଏବଂ ନୀତିଗତ ସଂସ୍କାର ପ୍ରସ୍ତାବ ରଖିଛନ୍ତି। ଏଥିରେ, ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରଶୀଳତା ପାଇଁ ମିଶନ ଅଧୀନରେ ରାଜ୍ୟ ପକ୍ଷରୁ ଡାଲି ଫସଲ ପ୍ରଦର୍ଶନ କାର୍ଯ୍ୟକ୍ରମର ଆବଣ୍ଟନକୁ ୨୪.୭୪ କୋଟି ଟଙ୍କା (୨୪,୭୪୦ ହେକ୍ଟର ପାଇଁ) ରୁ ୨୦୦ କୋଟି ଟଙ୍କାକୁ (୨,୦୦,୦୦୦ ହେକ୍ଟର ପାଇଁ) ବୃଦ୍ଧି କରିବା। ରାଜ୍ୟର ୮୦.୫୦ କୋଟି ଟଙ୍କାର ଡିଜିଟାଲ୍ ଫସଲ ସର୍ବେକ୍ଷଣ ବାର୍ଷିକ କାର୍ଯ୍ୟ ଯୋଜନାକୁ ସମ୍ପୂର୍ଣ୍ଣ ମଞ୍ଜୁର କରିବା, ମୂଲ୍ୟ ସହାୟତା ଯୋଜନା ପେମେଣ୍ଟ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି। ଗୁଣବତ୍ତା ଯାଞ୍ଚ କେବଳ ମଣ୍ଡି ବା ସଂଗ୍ରହ କେନ୍ଦ୍ରଗୁଡ଼ିକରେ ଥରେ ମାତ୍ର କରାଯାଉ, ଯଦ୍ୱାରା ରାଜ୍ୟସ୍ତରୀୟ ସହାୟକ ସଂସ୍ଥା (MARKFED) ଗୋଦାମଗୁଡ଼ିକରେ ଦ୍ୱିତୀୟ ବାର ଯାଞ୍ଚ ପାଇଁ ଅପେକ୍ଷା ନକରି ଚାଷୀଙ୍କୁ ତୁରନ୍ତ ଅର୍ଥ ପ୍ରଦାନ କରାଯାଇପାରିବ ବୋଲି ମତ ଦେଇଛନ୍ତି।
ସେହିଭଳି “ବଳଭଦ୍ର ଜୈବିକ ଚାଷ ମିଶନ”, ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ ପାଇଁ ସୁବାସିତ ଜୈବିକ ଧାନ ଚାଷ କରିବା ପାଇଁ ଐତିହାସିକ “ଅମୃତ ଅନ୍ନ” ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଆଦିବାସୀ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିକଟରେ ପ୍ରଶଂସିତ ହୋଇଥିବା ଉଚ୍ଚ-ପାର୍ବତ୍ୟ ଅଞ୍ଚଳର ଜୈବିକ “କୋରାପୁଟ କଫି” ଚାଷକୁ ଏକ ଲକ୍ଷ ଏକର ଜମିରେ ବିସ୍ତାର କରିବା ପାଇଁ ରାଜ୍ୟର ୧୦ ବର୍ଷିଆ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। ଉଦ୍ୟାନ କୃଷି, ତାଳତେଲ, ନଳକୂପ ସବ୍‌ସିଡି ୧ଲକ୍ଷ ଟଙ୍କାକୁ ବୃଦ୍ଧି, ହାତୀ ଉପଦ୍ରବରୁ ରକ୍ଷା ନିମନ୍ତେ କଣ୍ଟା ତାରବାଡ଼, ଅଦା ଏବଂ ହଳଦୀ ଭଳି ଜାତୀୟ ମସଲା ଫସଲର ଖର୍ଚ୍ଚ ମାନଦଣ୍ଡକୁ ହେକ୍ଟର ପିଛା ୧.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମଧ୍ୟ ରାଜ୍ୟ ତରଫରୁ ଅନୁରୋଧକରାଯାଇଛି।

ଏହି ଉଚ୍ଚସ୍ତରୀୟ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।