August 27, 2026

ଜନଜୀବନ ଅସ୍ତବ୍ୟସ୍ତ, ତ୍ରାହିତ୍ରାହି ଡାକୁଛନ୍ତି ଓଡ଼ିଶାବାସୀ

1 min read

ଭୁବନେଶ୍ବର: ତ୍ରାହିତ୍ରାହି ଡାକୁଛନ୍ତି ଓଡ଼ିଶାବାସୀ। ଗାଁରୁ ସହର ପର୍ଯ୍ୟନ୍ତ ରାସ୍ତାଘାଟ ସବୁଠି ସୂର୍ଯ୍ୟଙ୍କର ପ୍ରଖର କିରଣ ଜନସାଧାରଣଙ୍କ ପାଇଁ ଦାଉ ସାଜୁଛି। କେଉଁଠି ବି ନିସ୍ତାର ନାହିଁ। ସକାଳ ୮ଟା ପରେ ସୂର୍ଯ୍ୟଦେବତା କରାଳ ରୂପଧାରଣ କରୁଛନ୍ତି। ସୂର୍ଯ୍ୟକିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସାରା ଓଡ଼ିଶା ଜଳୁଛି। ଆଜି ଦିନ ୨ଟା ୩୦ରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଛି। ରାସ୍ତାରେ ଯିବା ବେଳେ ମୁହଁ ଫାଟିଗଲା ପରି ଲାଗୁଛି। ପୋଖରୀ, ନଦୀ ଏବଂ ପାଇପ ପାଣିରେ ହାତ ମାରି ହେଉନି। ସତେ ଅବା ଏହିସ୍ଥାନଗୁଡ଼ିକରେ ଗରମ ପାଣି ରଖାଯାଇଥିବା ଅନୁଭବ ହେଉଛି।

ଆଜି ପୁରା ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ଦିନ ୨ଟା ୩୦ରେ ତାପମାତ୍ରା ୪୪ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ପାରା ୪୪.୪ ଡିଗ୍ରି ରେକର୍ଡ ହୋଇଛି। ହୀରାକୁଦରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ପାରା ଛୁଇଁଛି ୪୧.୬ ଡିଗ୍ରି। ସେହିପରି କେନ୍ଦୁଝରରେ ୪୦.୮ ଏବଂ ରାଉରକେଲାରେ ୪୦.୬ ଡିଗ୍ରି ପାରଦ ପହଞ୍ଚିଛି। ଆଶା କରାଯାଉଛି ଯେ, ଆଜି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇପାରେ।

ରାଜ୍ୟର ଅନ୍ୟତମ ଶିଳ୍ପ ସହର ଝାରସୁଗୁଡା ବର୍ତ୍ତମାନ ଏକ ତତଲା କଢେଇରେ ପରିଣତ ହୋଇଛି। କେବଳ ଝାରସୁଗୁଡା ସହର ନୁହେଁ, ଜିଲ୍ଲାର ପୁରପଲ୍ଲୀ ବି ଆଜି ଅସମ୍ଭବ ତାତିରେ ଛଟପଟ ହୋଇଛି। କିଛି ଦିନ ଧରି ମଝିରେ ମଝିରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୋହଳା ପାଗ ପାଇଁ ଗରମରୁ କିଛିଟା ଆଶ୍ବସ୍ତି ମିଳିଥିଲା। ହେଲେ ଗତ ପ୍ରାୟ ୫ ଦିନ ହେଲା ତାପମାତ୍ରା ଦ୍ରୁତ ଗତିରେ ବଢିବାରେ ଲାଗିଛି। ମଙ୍ଗଳବାର ୪୪.୬ ଡିଗ୍ରି ଥିବା ବେଳେ ଗତକାଲି ତାହା ୪୬ ଛୁଇଁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ଚଳିତ ବର୍ଷର ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩ ଡିଗ୍ରି ଅଧିକ ରହିଛି, ଯାହା ଆଗାମୀ ଦିନ ପାଇଁ ଏକ ଚିନ୍ତାଜନକ ପାଣିପାଗ ସ୍ଥିତିର ସଙ୍କେତ ଦେଉଛି।