January 24, 2026

ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛି

1 min read

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ଗୋଲ୍ଡ ମେଡାଲ୍ ହାସଲ କରିଛି। ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (ITPO) ତରଫରୁ ଏହି ପୁରସ୍କାର ଆଜି ପ୍ରଦାନ କରାଯାଇଛି।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ପ୍ରକାଶ କରିବା ସହିତ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦା ବୃଦ୍ଧି କରିବା ଦିଗରେ ଏହା ଏକ ଉଲ୍ଲେଖଯୋଗ୍ୟ ସଫଳତା।” ମୋଟ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶା ସାମଗ୍ରୀକ ପ୍ରଦର୍ଶନ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଏହି ସଫଳତା ପାଇଛି। ଏହା କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ଓଡ଼ିଶା ଏହି ପୁରସ୍କାର ହାସଲ କରିଥିବା ବେଳେ ଏହାକୁ ମିଶାଇ ଦୁଇ ଥର ଗୋଲ୍ଡ ମେଡାଲ୍ ପାଇଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ରାଜ୍ୟ ସରକାରଙ୍କର ୯ଟି ବିଭାଗର ୨୬ଟି ଷ୍ଟଲ ସ୍ଥାନୀତ ହୋଇଥିଲା। ଏହି ପ୍ରଦର୍ଶନୀ ମାଧ୍ୟମରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଆଭିମୁଖ୍ୟ ଉପସ୍ଥାପିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ମାଝୀ ଗତ ୨୨ ତାରିଖରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ଅବସରରେ ଓଡ଼ିଶା ମଣ୍ଡପ ବୁଲି ଦେଖି ଓଡ଼ିଶାର କଳା, ଐତିହ୍ୟ ଓ ପରମ୍ପରା ପ୍ରଦର୍ଶନର ଉଚ୍ଚ ପ୍ରଶଂସା କରିଥିଲେ।