ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ
1 min read
ଭୁବନେଶ୍ଵର: ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବାବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ, ଯେଉଁଥିରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା ବୋଲି ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସୂଚନା ଦେଇଛି।
ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ସମ୍ପର୍କରେ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ କହିଛନ୍ତି ଯେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରୁ ୩ଟା ଭିତରେ ସେମାନେ ପହଲଗାମରେ ବୁଲୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳି ମୋ ସ୍ବାମୀଙ୍କ ମୁଣ୍ଡରେ ବାଜିଥିଲା। ସହାୟତା ପାଇଁ ଚିତ୍କାର କରୁଥିଲି। ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଯବାନମାନେ ପହଞ୍ଚି ଥିଲେ। ମୋ ସ୍ବାମୀଙ୍କୁ ଚିକିତ୍ସା ପାଇଁ ନେଇଯାଇଥିଲେ।
ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀମାନେ ପୁଲିସ ବେଶରେ ଆସି ପର୍ଯ୍ୟଟକଙ୍କ ଉପରେ ୪୦ରୁ ୫୦ ରାଉଣ୍ଡ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଘଟଣା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଯାଞ୍ଚ କରୁଛି।
କାଶ୍ମୀରର ପହେଲଗାମଠାରେ ଉଗ୍ରପନ୍ଥୀମାନଙ୍କ ଜଘନ୍ୟ ଓ ବର୍ବରକାଣ୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ ନିନ୍ଦା କରିବା ସହ ଘଟଣାରେ ପ୍ରାଣ ହରାଇଥିବା ମୃତ ପର୍ଯ୍ୟଟକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ସୂଚନା ମିଳିଛି। ସମ୍ପୃକ୍ତ ଓଡ଼ିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୃତଦେହ କିପରି ଫେରିବ ଏବଂ ତାଙ୍କ ପରିବାର କେମିତି ଘରକୁ ଫେରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସିଏମଓ ଅଫିସ ସହ ଯୋଗଯୋଗରେ ଅଛୁ ବୋଲି ତହସିଲଦାର ଅଶ୍ୱିନୀ କୁମାର ନାୟକ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଏହି ଦୁଃଖଦ ଖବର ପାଇ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସହିତ ଯୋଗାଯୋଗ କରିଥିଲେ। ମୃତକ ପ୍ରଶାନ୍ତ ଶତପଥୀଙ୍କ ପରିବାର ବର୍ଗଙ୍କ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ମୃତକଙ୍କ ପରିବାର ସହିତ କଥା ହୋଇ ସମସ୍ତ ପ୍ରକାରର ସହଯୋଗ କରିବାକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି।