September 21, 2026

ଏବେ ପାରଦ ପୁଣି ଉପରମୁହାଁ ହୋଇଛି

1 min read

CREATOR: gd-jpeg v1.0 (using IJG JPEG v62), quality = 82

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି ଉପରମୁହାଁ ହୋଇଛି। ରବିବାର ହଠାତ୍‌ ୩ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଯିବା ସହ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିପକାଇଛି। ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୩.୫ ଡିଗ୍ରୀ ସେଲ୍‌ସିୟସ୍‌ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଛି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ରାଜଧାନୀରେ ଶନିବାର ତୁଳନାରେ ତାପମାତ୍ରା ବୃଦ୍ଧି ଘଟିଥିବାବେଳେ ଦିନ ତମାମ ଆର୍ଦ୍ରତା ୬୦%ରୁ ଅଧିକ ରହିବାରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହୋଇଥିଲା। ତେବେ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବଭାରତର ରାଜ୍ୟଗୁଡିକରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇପାରେ। ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ଜିଲାଗୁଡ଼ିକରେ ରବିବାର କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା।

ସୂଚନାଥାଉ କି, କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଚଳିତବର୍ଷ ପ୍ରାକ୍‌ ମୌସୁମୀ ଋତୁ ମାର୍ଚ୍ଚ ୧ରୁ ଏପ୍ରିଲ ୧୯ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସ୍ବାଭାବିକ ବର୍ଷା ୩୮.୯ ମିମିଠାରୁ ୫୫% ଅଧିକ ଅର୍ଥାତ୍‌ ୬୦.୫ ମିମି ବର୍ଷା ରେକର୍ଡ କରାଯାଇଛି।