ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ
1 min read
ନୂଆପଡ଼ା: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଏହା ପୂର୍ବରୁ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ପ୍ରତିନିଧି ମଣ୍ଡଳିଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି।
ନୂଆ ତାଲିକା ଅନୁଯାୟୀ ନୂଆପଡ଼ା ବିଧାନସଭାର ମୋଟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ରହିଛି। ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮, ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ରହିଛି।
ଏମାନଙ୍କ ମଧ୍ୟରେ ୮୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଭୋଟରଙ୍କ ସଂଖ୍ୟା ୧,୭୮୬ ରହିଥିବା ବେଳେ ଯୁବ ଭୋଟଙ୍କ ସଂଖ୍ୟା ୯,୪୨୯ ଓ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୩,୯୮୮।
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଅକ୍ଟୋବର ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନୂଆପଡ଼ା ଉପନିର୍ବାଚନ ପାଇଁ ଅକ୍ଟୋବର ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରାଯିବ। ଅକ୍ଟୋବର ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ନଭେମ୍ବର ୧୧ ତାରିଖରେ ମତଦାନ ହେବ। ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ।
ଗତ ସେପ୍ଟେମ୍ବର ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଖାଲି ପଡ଼ିଥିବା ଏହି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।