October 14, 2025

ଶପଥ ନେଲେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

1 min read

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସିପି ରାଧାକ୍ରିଷ୍ଣନ। ନୂଆ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦା, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ।

ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଏବଂ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତେବେ ସିପି ରାଧାକ୍ରିଷ୍ଣନ ୪୫୨ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଥିଲେ।

ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ୭୮୮ ଜଣ ସାଂସଦଙ୍କ ମଧ୍ୟରୁ ୭୬୭ ଜଣ ଭୋଟ ଦେଇଥିଲେ। ସେଥିମଧ୍ୟରୁ ୭୫୨ଟି ଭୋଟ ବୈଧ ଥିଲା। ସିପି ରାଧାକ୍ରିଷ୍ଣନଙ୍କ ସପକ୍ଷରେ ୪୫୨ଟି ଭୋଟ ପଡ଼ିଥିବା ବେଳେ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ମିଳିଥିଲା ମାତ୍ର ୩୦୦ ଖଣ୍ଡ ଭୋଟ।

୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁରେ ସିପି ରାଧାକ୍ରିଷ୍ଣନଙ୍କ ଜନ୍ମ। ୨୦୨୪ ଜୁଲାଇ ମାସରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ହୋଇଥିଲେ। ଏହାପୂର୍ବରୁ ସେ ତେଲାଙ୍ଗନା ଓ ଝାଡ଼ଖଣ୍ଡର ରାଜ୍ୟପାଳ ରହିଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ ସିପି ରାଧାକ୍ରିଷ୍ଣନ।

ପିସି ରାଧାକ୍ରିଷ୍ଣନ ତାମିଲନାଡୁ ରାଜନୀତିର ଜଣେ ବଡ଼ ଚେହେରା। ସେ ତାମିଲନାଡୁର ବିଜେପି ଅଧ୍ୟକ୍ଷ ରହିସାରିଛନ୍ତି। ୨୦୨୪ ଜୁଲାଇରୁ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ ପିସି ରାଧାକ୍ରିଷ୍ଣନ। ଏହା ପୂର୍ବରୁ ୨୦୨୩ ଫେବ୍ରୁଆରିରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। କେବଳ ଏତିକି ନୁହେଁ, ପୂର୍ବରୁ ସେ ତେଲେଙ୍ଗାନାର ରାଜ୍ୟପାଳ ଓ ପୁଡୁଚେରୀର ଉପରାଜ୍ୟପାଳ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇଛନ୍ତି।

୧୯୫୭ ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁରରେ ଜନ୍ମ ଗ୍ରହଣ କରିଥିଲେ ପିସି ରାଧାକ୍ରିଷ୍ଣନ। ମାତ୍ର ୧୬ ବର୍ଷ ବୟସରୁ ସେ ଆରଏସଏସ ଓ ଜନସଂଘ ସହ ଜଡ଼ିତ ଅଛନ୍ତି। ୧୯୯୮ ମସିହାରେ ତାମିଲନାଡୁ ବିଜେପି ସଭାପତି ଥିଲେ ରାଧାକ୍ରିଷ୍ଣନ।

ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାର ଥିଲା। ତେବେ ୨ ବର୍ଷ ପୂର୍ବରୁ ହଠାତ୍ ସେ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରଠାରୁ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ।