June 27, 2025

ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

1 min read

ନୂଆଦିଲ୍ଲୀ:ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ସକାଳେ (ଜୁନ ୧୦) ଦ୍ୱାରକା ସେକ୍ଟର-୧୩ ସ୍ଥିତ ବହୁମହଲା କୋଠା ନାମ ‘ସବଦ ଆପାର୍ଟମେଣ୍ଟ’ର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି। ଏହି ସମୟରେ ଘରେ ଉପସ୍ଥିତ ଥିବା ବାପା ଜୀବନବିକଳରେ ତାଙ୍କର ୨ଜଣ ପିଲାଙ୍କୁ ଧରି କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ଦୁଃଖର ବିଷୟ ଏହି ଘଟଣାରେ ତିନିଜଣଙ୍କ ଘଟଣାରେ ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ୧୦:୦୧ରେ ‘ସବଦ ଆପାର୍ଟମେଣ୍ଟ’ରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଫୋନ୍ କରି ସୂଚନା ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ କୋଠାର ଉପର ମହଲାରେ ନିଆଁ ଜଳୁଥିବାର ଭୟବହ ଦୃଶ୍ୟ ଦେଖିବାକୁ ମିଳୁଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଏହି ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘୮ଟି ଦମକଳ ବାହିନୀ ଘଟଣାସ୍ଥଳକୁ ପଠାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଘଟଣାସ୍ଥଳ ଉପରେ ନିରନ୍ତର ନଜର ରଖାଯାଇଛି। ମୃତ ବାପାଙ୍କ ସହିତ ଦୁଇଜଣ ଛୁଆଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦଗୃହକୁ ପଠାଇ ଦିଆଯାଇଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଯାଞ୍ଚ କରୁଛି। ‘ସବଦ ଆପାର୍ଟମେଣ୍ଟ’ରେ ବସବାସ କରୁଥିବା ଲୋକେ ଏହି ଅଗ୍ନିକାଣ୍ଡ କୋଠାର କମିଟି ସଦସ୍ୟଙ୍କ ଅବହେଳା‌ ହେତୁ ଘଟିଥିବା ଅଭିଯୋଗ କରି କହିଛନ୍ତି।