March 13, 2026

ଶ୍ରୀମନ୍ଦିରରେ ଆସନ୍ତାକାଲି (ବୁଧବାର) ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି

1 min read

ପୁରୀ: ଶ୍ରୀମନ୍ଦିରରେ ଆସନ୍ତାକାଲି (ବୁଧବାର) ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।
,ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହି ସମୟରେ ପ୍ରାୟ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ। ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ ଶ୍ରୀଜୀଉଙ୍କ ମହାସ୍ନାନ ପରେ ପୁଣି ଥରେ ଶ୍ରଦ୍ଧାଳୁମାନେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇପାରିବେ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି ଯେ, ବନକଲାଗି ସମୟସୀମା ମଧ୍ୟରେ ସେମାନେ ମନ୍ଦିର ପରିସରରେ ରହିପାରିବେ ନାହିଁ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ବନକଲାଗି ସମୟ ଜାଣି ସେହି ଅନୁସାରେ ଦର୍ଶନ ପାଇଁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।