October 31, 2025

କିଛି ଦିନ ପରେ ଖରିଫ ଧାନ ସଂଗ୍ରହ

1 min read


ସମ୍ବଲପୁର: ଅପେକ୍ଷା ମାତ୍ର କିଛି ଦିନର। ନଭେମ୍ବର ମାସରେ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆହୁରି ୩୧% ପ୍ରତିଶତ ଚାଉଳ ଜମା ହୋଇ ପାରିନାହିଁ। ସେଥିରେ ପୁଣି ସର୍ବାଧିକ ଧାନ ଉତ୍ପାଦନକାରୀ ପଶ୍ଚିମଓଡ଼ିଶାର ବରଗଡ଼ ୪୭%, ସମ୍ବଲପୁର ୩୯%, କଳାହାଣ୍ଡି ୩୩%, ବଲାଙ୍ଗୀର ୨୭%, ନୂଆପଡ଼ା ୨୧%, ସୁବର୍ଣ୍ଣପୁର ଜିଲ୍ଲାରେ ୪୦% ଚାଉଳ ଆଜି ପର୍ଯ୍ୟନ୍ତ ଜମା ହୋଇପାରି ନାହିଁ। ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ କେବଳ ଜଗତସିଂହପୁର ହିଁ ଶତପ୍ରତିଶତ ଚାଉଳ ଏବଂ ସୁନ୍ଦରଗଡ଼ ୯୪% ଜମା କରିଛି। ମିଲ୍‌ରେ ଯଦି ପୂର୍ବ ବର୍ଷର ଖରିଫ ଏବଂ ରବି ଚାଉଳ ଜମା ହୋଇ ରହିବ, ଚଳିତବର୍ଷର ଖରିଫ ଧାନ କେଉଁଠି ରଖାଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ଏହା ଗୁରୁତର ବିଭ୍ରାଟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଏହି ସ୍ଥିତିର ଫାଇଦା ଉଠାଇ ବର୍ତ୍ତମାନ ମିଲର୍‌ମାନେ ଧାନ ସଂଗ୍ରହରେ ଅଂଶଗ୍ରହଣ କରିବେ ନାହିଁ କହି ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଛନ୍ତି।
ଧାନ ସଂଗ୍ରହ ନୀତି ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବରେ ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଥାଏ। ଚାଉଳ ଉତ୍ପାଦନ ପାଇଁ କଷ୍ଟମ ମିଲିଂ ପ୍ରକ୍ରିୟାରେ ଟ୍ୟାଗ୍‌ ହୋଇଥିବା ମିଲର୍‌ଙ୍କୁ ଧାନ ଦିଆଯାଏ। ମିଲର୍‌ମାନେ ୩ ମାସ ମଧ୍ୟରେ ଯୋଗାଣ ନିଗମର ଗୋଦାମ ଓ ଏଫ୍‌ସିଆଇ ନିକଟରେ ଚାଉଳ ଜମା କରିବା କଥା। ଏହା ପରେ ନିଜ ମିଲ୍‌କୁ ସଫା କରି ଦ୍ବିତୀୟ ପର୍ଯ୍ୟାୟ ଚାଉଳ ଉତ୍ପାଦନ ପାଇଁ ପ୍ରସ୍ତୁତ ହୁଅନ୍ତି। ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଏଭଳି ସ୍ଥିତି ହୋଇଛି ଯେ ୨୦୨୪ ମସିହାରେ ସଂଗୃହୀତ ଧାନରୁ ଉତ୍ପାଦିତ ଚାଉଳ ବର୍ଷେ ହେଲା ଉଭୟ ମିଲ୍‌ ଏବଂ ରାଜ୍ୟ ସରକାରଙ୍କ ଗୋଦାମରେ ପଡ଼ିରହିଛି। ବରଗଡ଼ର ଅବସ୍ଥା ଏତେ ଖରାପ ଯେ ଏଠାକାର ଗୋଦାମଗୁଡ଼ିକରେ ୨୦୨୩ ମସିହାରେ ସଂଗୃହୀତ ଧାନର ଚାଉଳ ମଧ୍ୟ ପଡ଼ିରହିଛି। ଫଳରେ ଚାଉଳ ନଷ୍ଟ ହେବାର ଆଶଙ୍କା ରହିଛି। ଖାଦ୍ୟନୀତି ଅନୁଯାୟୀ, ଯୋଗାଣ ବିଭାଗର ଗୋଦାମଗୁଡ଼ିକ ନିଜ ଆବଶ୍ୟକତା ଅନୁଯାୟୀ ଚାଉଳ ରଖିବା କଥା। କିନ୍ତୁ ଅଧିକାଂଶ ଗୋଦାମରେ କ୍ଷମତାଠାରୁ ଢେର ଅଧିକ ଚାଉଳ ରହିଛି ଏବଂ ବୈଜ୍ଞାନିକ ପଦ୍ଧତିରେ ଏହାର ପରିଚାଳନା ମଧ୍ୟ ହେଉନାହିଁ। ସୁବର୍ଣ୍ଣପୁର ଜିଲ୍ଲାରେ ଜାଣିଶୁଣି ଚାଉଳ ଜମା ନ ହେବାରୁ ଧାନ ଦୁର୍ନୀତିର ରାସ୍ତା ତିଆରି ହେଉଛି। ସେଥିପାଇଁ ବିଭିନ୍ନ ସମୟରେ ବାହାର ରାଜ୍ୟରୁ ବେଆଇନ ଧାନ ଚାଲାଣ ଧରାପଡ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଯୋଗାଣ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ୨୦୨୪ ଖରିଫରେ ୪୯.୭୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଏବଂ ରବିରେ ୧୩.୦୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଅର୍ଥାତ୍‌ ସମୁଦାୟ ୬୨.୮୨ ଲକ୍ଷ ମେଟ୍ରିକ୍‌ ଟନ୍‌ର କଷ୍ଟମ୍‌ ମିଲିଂ ଚାଉଳ ରହିଛି। ଏଥିରୁ ୨୩.୯୨ ଲକ୍ଷ ମେଟ୍ରିକ୍ ଟନ୍ ରାଜ୍ୟ ସରକାରଙ୍କ ଗୋଦାମ ଏବଂ ୧୯.୫୭ ଲକ୍ଷ ମେଟ୍ରିକ୍ ଟନ୍ ଏଫ୍‌ସିଆଇ ଗୋଦାମକୁ ଦିଆଯିବା ପରେ ବର୍ତ୍ତମାନ ୧୯.୭୨ ଲକ୍ଷ ମେଟ୍ରିକ୍‌ ଟନ୍‌ (୬୯%) ଚାଉଳ ଜମା ହୋଇପାରିଛି। ଅନୁଗୁଳରେ ୭୮%, ବାଲେଶ୍ବର ୭୧%, ଭଦ୍ରକ ୭୬%, ବୌଦ୍ଧ ୮୪%, କଟକ ୮୬%, ଦେବଗଡ଼ ୭୯%, ଢେଙ୍କାନାଳ ୬୨%, ଗଜପତି ୬୫%, ଗଞ୍ଜାମ ୭୨%, ଯାଜପୁର ୭୦%, ଝାରସୁଗୁଡ଼ା ୮୩%, କନ୍ଧମାଳ ୭୦%, କେନ୍ଦ୍ରାପଡ଼ା ୮୬%, କେନ୍ଦୁଝର ୭୯%, ଖୋର୍ଦ୍ଧା ୮୦%, କୋରାପୁଟ ୫୯%, ମାଲକାନଗିରି ୬୮%, ମୟୂରଭଞ୍ଜ ୮୭%, ନବରଙ୍ଗପୁର ୬୭%, ନୟାଗଡ଼ ୭୧%, ପୁରୀ ୫୯%, ରାୟଗଡ଼ା ୬୭% ଚାଉଳ ଜମା କରିଛି। ପଶ୍ଚିମ ଓଡ଼ିଶା ଧାନ ଉତ୍ପାଦନ ଏବଂ ଧାନ ସଂଗ୍ରହରେ ଆଗୁଆ। ଏଠାରେ ଚାଉଳ ଜମାରେ ବିଳମ୍ବ ଯୋଗୁଁ ସମସ୍ୟା ଆହୁରି ଜଟିଳ ହେବା ନେଇ ଚାଷୀ ସଙ୍ଗଠନ ଆଶଙ୍କା କରୁଛନ୍ତି।