କେନ୍ଦୁଝର ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି
1 min read
କେନ୍ଦୁଝର: କେନ୍ଦୁଝର ଷ୍ଟାଡିୟମଠାରେ ଡ଼ିସେମ୍ବର ୧୮ରୁ ଆରମ୍ଭ ହୋଇଥିବା କଳା ଓ ସଂସ୍କୃତିର ମହାକୁମ୍ଭ ଗୋନାସିକା କେନ୍ଦୁଝର ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନ ସମାରୋହରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲା ବେଳେ ସମ୍ମାନନୀୟ ଅତିଥି ଭାବେ କେନ୍ଦୁଝରର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚାସୀନ ହୋଇଥିଲେ ।
ଘଟଗାଁ ମା’ ତାରିଣୀ ଓ ପ୍ରଭୁ ବଳଦେବଜୀଉଙ୍କୁ ସ୍ମରଣ କରି ନିଜ ଅଭିଭାଷଣ ଆରମ୍ଭ କରିଥିବା ଉପ ମୁଖ୍ୟମନ୍ତ୍ରୀ ପରିଡ଼ା ଅନନ୍ୟ ସଂସ୍କୃତି ପରମ୍ପରାକୁ ନେଇ ସମୃଦ୍ଧ କେନ୍ଦୁଝର ଜିଲ୍ଲା “ଗୋନାସିକା” ମହୋତ୍ସବ ସାରା ରାଜ୍ୟରେ ଏକ ଆଲୋଡନ ସୃଷ୍ଟି କରିଛି ବୋଲି କହିଥିଲେ ।
ଆହୁରି ମଧ୍ୟ ଜିଲ୍ଲାର ପ୍ରଶଂସା କରି କେନ୍ଦୁଝର ମାଟିରେ ପ୍ରକୃତି ମା’ ଅଜାଡ଼ି ଦେଇଛି ତା’ର ସମସ୍ତ ପ୍ରକାରର ସମ୍ଭାର। ଅମାପ ଖଣିଜ ସଂପଦ ଓ ଅନ୍ୟାନ୍ୟ ପ୍ରାକୃତିକ ସଂପଦ । ଘଞ୍ଚ ଅରଣ୍ୟ । ଗୋନାସିକା ପର୍ବତରୁ ଜନ୍ମ ବୈତରଣୀ ନଦୀ ଏ ମାଟିକୁ ପବିତ୍ର କରିଛି । ପବିତ୍ର ଦେବଦେବୀ ପୀଠ, ମଠ ମନ୍ଦିର ସମୂହ କେନ୍ଦୁଝର ଜିଲ୍ଲାର ମହିମାକୁ ବଢ଼ାଇଛି । ବଳଦେବଜୀଉ, ମା’ତାରିଣୀ, କୁଶଳେଶ୍ୱର, ଦଧିବାମନ ଜୀଉ, ମୃଗା ମହାଦେବ ଆଦି ଦେବପୀଠ କେନ୍ଦୁଝର ଜିଲ୍ଲାକୁ ମହିମାନ୍ୱିତ କରିଛି । ମନଲୋଭା ପର୍ଯ୍ୟଟନ ସଂପଦ-ସାନଘାଗରା, ବଡ଼ଘାଗରା, ଘୁଣ୍ଡିଚାଘାଗୀ, ଚକ୍ରତୀର୍ଥ, ହାଣ୍ଡିଭଙ୍ଗା ଓ ଖଣ୍ଡାଧାର ଜଳପ୍ରପାତ ଏ ଜିଲ୍ଲାର ସୌନ୍ଦର୍ଯ୍ୟକୁ ବଢ଼ାଇଛି ବୋଲି କହିଥିଲେ ।
ସେହିଭଳି ମହିଳା ସଶକ୍ତିକରଣ ଦିଗରେ କେନ୍ଦୁଝର ଜିଲ୍ଲା ବାବଦରେ ସୂଚନା ଦେବାକୁ ଯାଇ ପରିଡ଼ା କହିଥିଲେ ଯେ ସୁଭଦ୍ରା ଯୋଜନାରେ ଏଯାବତ କେବଳ କେନ୍ଦୁଝର ଜିଲ୍ଲାରେ ୪ ଲକ୍ଷ ୪୪ ହଜାର ୩୭୫ ଆବେଦନ ଫର୍ମ ପ୍ରାପ୍ତ ହୋଇଥିବା ବେଳେ ୩ ଲକ୍ଷ ୩୫ ହଜାର ୮୬୪ ଆବେଦନକାରୀଙ୍କୁ ସୁଭଦ୍ରା ର ପ୍ରଥମ କିସ୍ତି ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପହଞ୍ଚିଯାଇଛି । ଏହି ଜିଲ୍ଲାରେ ୩୩୫୨ ଅଙ୍ଗନବାଡୀ କେନ୍ଦ୍ର କାର୍ଯ୍ୟରତ ଅଛନ୍ତି । ମୁଁ ଜାଣି ଖୁସି ହେଲି ଯେ ଏହି ଜିଲ୍ଲାର ୨୮୦୩୯ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ୱାରା ୯ ଟି ମିଶନ ଶକ୍ତି ରିଟେଲ୍ ମାର୍ଟ, ୧୩ ଟି ମିଶନ ଶକ୍ତି କାଫେ ପରିଚାଳିତ ହେଉଛି । ଏହି ଜିଲ୍ଲାରେ ୫୯,୩୮୭ ଲକ୍ଷପତି ଦିଦି ଚିହ୍ନଟ ହୋଇଥିବା ବେଳେ ଏଯାବତ ୩୧,୩୯୧ ଲକ୍ଷପତି ଦିଦିଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ।
ସ୍ୱାଧୀନତା ସଂଗ୍ରାମରେ କେନ୍ଦୁଝରର ଅବଦାନ ଅତୁଳନୀୟ । ଜଙ୍ଗଲଘେରା କେନ୍ଦୁଝର ମାଟିର ସନ୍ତାନ ମଧ୍ୟ ଜାତୀୟ ସଂଗ୍ରାମରେ ଝାସ ଦେଇ ବ୍ରିଟିଶ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇଥିଲେ । ଏଠାରେ କେବଳ ସ୍ୱାଧୀନତା ସଂଗ୍ରାମ ନୁହଁ ଶୋଷଣ, କଷଣ ଓ ଅତ୍ୟାଚାରର ପ୍ରତିବାଦ କରି ଏ ମାଟିର ଆଦିମ ଅଧିବାସୀ ଜନଜାତି, ସ୍ୱାଧୀନଚେତା ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିଛନ୍ତି । ଏହି କେନ୍ଦୁଝର ଜିଲ୍ଲାକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସେହି କେନ୍ଦୁଝର ମାଟିର ସନ୍ତାନ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଆଜି ଓଡ଼ିଶାରେ ବିକାଶର ନୂତନ ସୂର୍ଯ୍ୟୋଦୟ ଘଟିଛି । କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ ।
ଅନ୍ୟ ସମସ୍ତ ଅତିଥି ଗୋନାସିକା କେନ୍ଦୁଝର ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏହି ମହୋତ୍ସବର ଉତ୍ତରୋତ୍ତର କାମନା କରିଥିଲେ ।
ଜିଲ୍ଲାପାଳ ଵିଶାଲ ସିଂହ ନିଜ ଅଭିଭାଷଣରେ ଗୋନାସିକା ମହୋତ୍ସବର ମଞ୍ଚ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ସଫଳ ହୋଇଥିବା କହିଥିଲେ । ଏହି ସଫଳତା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ ।
ଆଜିର ଉଦଯାପନୀ ସନ୍ଧ୍ୟାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜୁଆଙ୍ଗ ଉନ୍ନୟନ ସଂସ୍ଥାର କଳାକାରଙ୍କ ଦ୍ୱାରା ଚାଙ୍ଗୁ, ବାସୁଦେବପୁର ଅଞ୍ଚଳର ଝୁମର ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡ଼ା ଓ କଟକର ଲସ୍ୟା ସାଂସ୍କୃତିକ ଦଳ ପକ୍ଷରୁ ପରିବେଷିତ ନୃତ୍ୟ ଦର୍ଶକଙ୍କ ମନ ବିମୋହିତ କରିଥିଲା ସେହିଭଳି ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ନକାସ ଅଜିଜ ଓ ନନ୍ଦୀ ସିଷ୍ଟର୍ସଙ୍କ ଗୀତ ଶେଷ ରଜନୀର ପରିବେଶକୁ ଉଷ୍ମତାରେ ଭରି ଦେଇଥିଲା ।