February 17, 2026

୨୨ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ

1 min read

ହାଟଡିହୀ: ୨୨ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଆଣ୍ଡ ସେଶନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କର ଜାମିନ ଆବେଦନ ନଂ ୩୪୨/୨୦୨୬ ରହିଛି। ଜାମିନ ମାମଲାର ପ୍ରଥମ ଶୁଣାଣି ପାଇଁ ୨୦ ଫେବୃୟାରୀ ୨୦୨୬କୁ ଦିନ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ସୁରେଶ୍ୱରୀଙ୍କୁ ଖଣ୍ଡଗିରି ପୋଲିସ ଗତ ଶନିବାର ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରିଥିଲା। ଚାକିରି ଦେବାକୁ କହି ସୁରେଶ୍ୱରୀ ୨୨ଲକ୍ଷ ଟଙ୍କା ଠକେଇ କରିଥିବା ଖଣ୍ଡଗିରି ଥାନାରେ ମାମଲା ନଂ ୪୬୫/୨୦୨୫ ରୁଜୁ ହୋଇଥିଲା l ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ଯେ ଠକେଇ କରାଯାଇଥିବା ଟଙ୍କା କେଉଁଠି ଲାଗିଛି ଏବଂ ଫାଉଣ୍ଡେଶନରେ ଟଙ୍କା ବିନିଯୋଗ ହୋଇଛି କି ନାହିଁ ସେ ନେଇ ଅନୁଧ୍ୟାନ ମଧ୍ୟ କରାଯିବ।
ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ କହିଛନ୍ତି ଯେ ସମ୍ପୃକ୍ତ ଫାଉଣ୍ଡେସନର ଆୟ, ବ୍ୟୟ ଏବଂ ସମସ୍ତ ରେକର୍ଡ ପତ୍ରକୁ କେନ୍ଦୁଝର ଜିଲା ପ୍ରଶାସନ ଯାଞ୍ଚ ପାଇଁ ପଦକ୍ଷେପ ନେବା ଆବଶ୍ୟକ ଅଟେ l ତେବେ ଯାଇ ଫାଉଣ୍ଡେଶନର କାର୍ଯ୍ୟକଳାପ ଠାରୁ ଆରମ୍ଭ କରି ସମସ୍ତ ଘଟଣା ଜଣାପଡିବ। ଫାଉଣ୍ଡେଶନର ସଭାପତି ସ୍ଥାନୀୟ ବେତିରା ଗ୍ରାମର ଅବିନାଶ ତ୍ରିପାଠୀ କହିଛନ୍ତି ଯେ ମୋର ବ୍ୟବସାୟ ଅଛି। ସମାଜସେବା ପାଇଁ ମୁଁ ବିନା ଦରମାରେ ଫାଉଣ୍ଡେଶନର ସଭାପତି ଭାବେ ଗତ ୨ ବର୍ଷ ହେବ କାର୍ଯ୍ୟ କରୁଛି। ଫାଉଣ୍ଡେସନ ଅଧକ୍ଷାଙ୍କ ନାମରେ ମିଛ ମାମଲା ହୋଇଛି । ସମ୍ପୃକ୍ତ ମାମଲା ସହ ଫାଉଣ୍ଡେଶନର କୌଣସି ସମ୍ପର୍କ ନାହିଁ । ଅପର ପକ୍ଷେ ଅନରୂପ ଭାବେ ସୁରେଶ୍ୱରୀଙ୍କ ନାମରେ ନନ୍ଦିପଦା ଥାନାରେ ଚାକିରି ଦେବାକୁ କହି ଅନ୍ୟ ଏକ ୧୫ ଲକ୍ଷ ଟଙ୍କାର ଠକେଇ ମାମଲା (ନଂ ୧୦୬/୨୦୨୫) ମଧ୍ୟ ରହିଛି।