ଇଣ୍ଡିଆ ଓପନ୍: କ୍ବାର୍ଟରରେ ଲକ୍ଷ୍ୟ ସେନ୍: ପ୍ରଣୟ, ଶ୍ରୀକାନ୍ତ ବିଦା
1 min read
ନୂଆଦିଲ୍ଲୀ: ଭାରତୀୟ ତାରକା ସଟ୍ଲର୍ ଲକ୍ଷ୍ୟ ସେନ୍ ଚଳିତ ଇଣ୍ଡିଆ ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ପ୍ରିକ୍ବାର୍ଟରଫାଇନାଲ୍ରେ ଲକ୍ଷ୍ୟ ୨୧-୧୯, ୨୧-୧୦ରେ ଜାପାନର କେଣ୍ଟା ନିଶିମୋତୋଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟରଫାଇନାଲ୍ରେ ସେ ଚାଇନିଜ୍ ତାଇପେର ଲିନ୍ ଚୁଁ-ୟିଙ୍କୁ ଭେଟିବେ।
ତେବେ ଅନ୍ୟ ଦୁଇ ତାରକା ଖେଳାଳି ଏଚ୍ଏସ୍ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତଙ୍କ ଅଭିଯାନ ପ୍ରିକ୍ବାର୍ଟରଫାିନାଲ୍ରେ ଶେଷ ହୋଇଛି। ୫୮ ମିନିଟ୍ର କଡ଼ା ସଂଘର୍ଷ ପରେ ପ୍ରଣୟ ୨୧-୧୮, ୧୯-୨୧, ୧୪-୨୧ରେ ସିଙ୍ଗାପୁରର ଲୋହ କିନ୍ ୟିଉଙ୍କଠୁ ହାରିଯାଇଥିଲେ। ସେହିପରି ଶ୍ରୀକାନ୍ତ ୧ ଘଣ୍ଟା ୬ ମିନିଟ୍ ଲଢ଼ିବା ପରେ ୧୪-୨୧, ୨୧-୧୭, ୧୭-୨୧ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଫ୍ରାନ୍ସ ଖେଳାଳି କ୍ରିଷ୍ଟୋ ପୋପୋଭଙ୍କଠୁ ପରାଜିତ ହୋଇଥିଲେ। ମହିଳା ଏକକରେ ମାଳବିକା ବଂଶୁଦ ୧୮-୨୧, ୧୫-୨୧ରେ ଚୀନ୍ର ହାଁ ୟୁଇଙ୍କଠୁ ହାରି ବିଦାୟ ନେଇଛନ୍ତି।


