January 22, 2026

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା

1 min read

ଭୁବନେଶ୍ବର: ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ। ଦୋଷୀଙ୍କୁ ଛଡ଼ାଯିନାହିଁ। ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସ୍‌ସି) ଗତକାଲି ୨୧ଟି ଏସ୍‌ଆଇ ଟ୍ରାଫିକ ପଦବି (ଗ୍ରୁପ୍‌ ବି), ୧୦ଟି ଏସ୍‌ଆଇ ଏକ୍ସାଇଜ୍ ପଦବି (ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷା ଥିଲା। ଏଥିପାଇଁ ହଜାର ହଜାର ପରୀକ୍ଷାର୍ଥୀ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଥିଲେ। ହେଲେ ଏଥିରେ ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା ନଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା। ଯାହାକୁ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାରେ ହୋଇଥିବା ତ୍ରୁଟି ନେଇ ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ ହେଁ ଏହାକୁ ବାତିଲ୍ କରିନାହାନ୍ତି। ବରଂ ଅତି ଚାଲାକିର ସହ କହିଛନ୍ତି ଯେ ଅାଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି।
ପରୀକ୍ଷାର୍ଥୀମାନେ କହିଛନ୍ତି ଯେ ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା। ଇଂରାଜୀ, ଓଡ଼ିଆ ସମ୍ବନ୍ଧରେ କୌଣସି ପ୍ରଶ୍ନ ନଥିଲା।