June 7, 2026

ରାଜଧାନୀ ଭୁବନେଶ୍ବରରେ କା‌ଳବୈଶାଖୀ ତାଣ୍ଡବ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆଜି କା‌ଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ଣରେ ଏହି ଅଦିନିଆ ଝଡ଼ବର୍ଷା ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ବିରାଟ ବିରାଟ ଗଛ ସବୁ ଭାଙ୍ଗି ରାସ୍ତା ଅବରୋଧ କରିଛି। ପରିବହନ ‌ସେବା ଏକପ୍ରକାର ଠପ୍‌ ହୋଇଯାଇଛି। ଫଳସ୍ବରୂପ, ଆଜି ପ୍ରାୟ ୪ ଘଣ୍ଟା ରାଜଧାନୀ ଅଟକି ଯାଇଥିଲା। ଅପରାହ୍ଣରୁ ସହର ଏକପ୍ରକାର ଅଚଳ ହୋଇଯାଇଥିଲା। ଉଭୟ ଫ୍ଲାଏ ଓଭର୍‌ ଓ ଏହା ତଳ ରାସ୍ତାରେ ବି ଗାଡ଼ିମୋଟରର ଅସମ୍ଭାଳ ଭିଡ଼ ଲାଗିଥିଲା। ସଂଧ୍ୟା ୭ଟା ପରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହୋଇଥିଲା। କମିସନରେଟ୍‌ ପୁଲିସ ପକ୍ଷରୁ ଏହି ଭିଡ଼କୁ ପ୍ରଶମିତ କରିବାକୁ ରାଜଧାନୀର ପ୍ରମୁଖ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ରାସ୍ତାଘାଟରେ ବେଆଇନ୍‌ ପାର୍କିଂ କରି ଅଯଥା ଭିଡ଼କୁ ବଢ଼ାଉଥିବା ଗାଡ଼ିମୋଟର ସବୁ ପୁଲିସ ଘଉଡ଼ାଉଥିବା ଦେଖିବାକୁ ମିଳିଥିଲା। ଏହି ବର୍ଷା ପବନରେ ଆଜି ଲୋୟର ପିଏମ୍‌ଜି, ରାଜଭବନ ଡାକ୍ତରଖାନା ସମ୍ମୁଖ, ଓୟୁଏଟି ଗେଷ୍ଟ ହାଉସ୍‌ ଛକ, ୟୁନିଟ୍‌-୮, ଆଚାର୍ଯ୍ୟବିହାରରୁ ଜୟଦେବବିହାର ରାସ୍ତା, ସିଆର୍‌ପି, କଳିଙ୍ଗନଗର, କଳିଙ୍ଗବିହାର, ଡେଲ୍‌ଟା ଛକ ଆଦି ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ଗଛ ଡାଳ ରାସ୍ତାରେ ପଡ଼ିଥିବାରୁ ଗାଡ଼ିମୋଟର ଯା’ଆସ କରି ପାରିନଥିଲା। ଏଣୁ ବର୍ଷା ଓ ପବନ ଛାଡ଼ି ଯାଇଥିଲେ ବି ଲୋକଙ୍କୁ ୩ ଘଣ୍ଟା ଧରି ନାକେଦମ ହେବାକୁ ପଡ଼ିଥିଲା।