୨୧ ଅକ୍ଟୋବରରୁ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା
1 min read
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି।
ରବିବାରର ମଧ୍ୟାହ୍ନ ବୁଲେଟିନ୍ରେ ଆଇଏମ୍ଡି ସୂଚନା ଦେଇଛି ଯେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଅକ୍ଟୋବର ୨୧ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଆଇଏମ୍ଡି ଅକ୍ଟୋବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ୩୦-୪୦ କିମି ବେଗରେ ପବନ ସମ୍ଭାବନା ଥିବା ନେଇ ସତର୍କତା ଜାରି କରିଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲାରେ ବଜ୍ରପାତ ସହ ଝଡ଼ପବନର ସମ୍ଭାବନା ରହିଛି।
ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲାରେ ବଜ୍ରପାତ ସହ ଝଡ଼ପବନ ହୋଇପାରେ। ସେହିପରି ୨୧ ଅକ୍ଟୋବରରେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାରେ ବଜ୍ରପାତ ସହ ଝଡ଼ପବନ ହୋଇପାରେ।
ତେବେ ଅକ୍ଟୋବର ୨୦ ଓ ୨୧ ତାରିଖ ସକାଳେ କଳାହାଣ୍ଡି ଓ କନ୍ଧମାଳ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ, ବଜ୍ରପାତ ସମୟରେ ବାହାରେ ନ ରହିବାକୁ ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରିଛି।