ପ୍ରବଳ ମୌସୁମୀ ବର୍ଷା ପୁଣିଥରେ ମୁମ୍ବାଇର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି
1 min read
ମୁମ୍ବାଇ:ପ୍ରବଳ ମୌସୁମୀ ବର୍ଷା ପୁଣିଥରେ ମୁମ୍ବାଇର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିବା ସହ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ରେଳ ଓ ବିମାନ ସେବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆଗାମୀ ଦିନରେ ମୌସୁମୀ ପ୍ରକୋପ କିଛି ହ୍ରାସ ପାଇବ ବୋଲି କୁହାଯାଇଥିଲେ ମଧ୍ୟ ବର୍ତ୍ତମାନର ବର୍ଷା ପ୍ରଭାବରେ ମୁମ୍ବାଇ-ପୁଣେ ରେଳ ମାର୍ଗ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜୁଲାଇ ୬ ତାରିଖରେ ମୁଷଳଧାରା ବର୍ଷା ଯୋଗୁଁ ଭୋର ଘାଟ ସେକ୍ସନରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା। କରଜତ ଓ ଲୋନାୱାଲା ଷ୍ଟେସନ ମଧ୍ୟରେ ତିନୋଟି ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଥିଲା। ଠାକୁରୱାଡି ଓ ମଙ୍କି ହିଲ୍ କ୍ୟାବିନ୍ ନିକଟରେ ବଡ଼ ଧରଣର ଭୂସ୍ଖଳନ ହେବାରୁ ଟ୍ରେନ ସେବା ଦୀର୍ଘ ସମୟ ପାଇଁ ବାଧାପ୍ରାପ୍ତ ହୋଇଛି।କେନ୍ଦ୍ରୀୟ ରେଳପଥ ପକ୍ଷରୁ ୩୦ଟି ଟ୍ରେନ ସେବା ବାତିଲ୍ କରାଯାଇଛି। ଏଥିରେ ୧୪ଟି ଦୈନିକ ଟ୍ରେନ, ନିର୍ଦ୍ଦିଷ୍ଟ ତାରିଖର ୮ଟି ଟ୍ରେନ ଏବଂ ୮ଟି ସ୍ୱତନ୍ତ୍ର ଟ୍ରେନ ସାମିଲ ରହିଛି।
ଜୁଲାଇ ୧୦ରୁ ୧୭ ପର୍ଯ୍ୟନ୍ତ କିଛି ପ୍ରମୁଖ ଟ୍ରେନ ଯଥା ଡେକାନ କୁଇନ୍, ଡେକାନ ଏକ୍ସପ୍ରେସ୍, ମୁମ୍ବାଇ-ପୁଣେ ଇଣ୍ଟରସିଟି ଏକ୍ସପ୍ରେସ୍, ସିଏସଏମଟି-ହାଇଦ୍ରାବାଦ ଏକ୍ସପ୍ରେସ୍, ଚେନ୍ନାଇ ଏଗମୋର ସୁପରଫାଷ୍ଟ ମେଲ୍ ଓ ହୁବଲି-ଦାଦର ଏକ୍ସପ୍ରେସ୍କୁ ଅସ୍ଥାୟୀ ଭାବେ ବାତିଲ୍ କରାଯାଇଛି।


