ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଦେଇଛନ୍ତି
1 min read
ଢାକା: ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଦେଇଛନ୍ତି। ଏବେ ପ୍ରଶ୍ନ ହେଉଛି ହାସିନାଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ। ବାସ୍ତବରେ ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନ ସାମରିକ ଅକ୍ତିଆର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି ମଧ୍ୟବର୍ତ୍ତୀକାଳୀନ ନାଗରିକ ସରକାର ଗଠନ ଘୋଷଣା କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ମହମ୍ମଦ ୟୁନୁସ ବାଂଲାଦେଶର ପରବର୍ତ୍ତୀ ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ମହମ୍ମଦ ୟୁନୁସ ଜଣେ ନୋବେଲ ପୁରସ୍କାର ବିଜେତା। ଶାନ୍ତି ଫେରାଇ ଆଣିବା ପାଇଁ ତାଙ୍କ ନାମ ଉପରେ ଆଲୋଚନା ହେଉଛି। ଏତିସହିତ ପ୍ରଖ୍ୟାତ ଓକିଲ ସାରା ହୁସେନ, ଅବସରପ୍ରାପ୍ତ ବାଂଲାଦେଶ ସେନାର ଥ୍ରୀ ଷ୍ଟାର ଜେନେରାଲ ଜାହାଙ୍ଗୀର ଆଲାମ ଚୌଧୁରୀ ଏବଂ ବାଂଲାଦେଶ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସାଲେହୁଦ୍ଦିନ ଅହମ୍ମଦ ଅନ୍ତର୍ଭୁକ୍ତ।
କିଏ ମହମ୍ମଦ ୟୁନୁସ?
ବାଂଲାଦେଶର ଜଣେ ସାମାଜିକ ଉଦ୍ୟୋଗୀ, ବ୍ୟାଙ୍କର, ଅର୍ଥନୀତିଜ୍ଞ ତଥା ନାଗରିକ ସମାଜର ନେତା ମହମ୍ମଦ ୟୁନୁସ ଜୁନ ୨୮, ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ଏବଂ ମାଇକ୍ରୋ କ୍ରେଡିଟ ଏବଂ ମାଇକ୍ରୋ ଫାଇନାନ୍ସର ଚିନ୍ତାଧାରା ଉଦ୍ଭାବନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ୨୦୦୬ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ୟୁନୁସ ଏବଂ ଗ୍ରାମୀଣ ବ୍ୟାଙ୍କକୁ ମାଇକ୍ରୋ କ୍ରେଡିଟ ମାଧ୍ୟମରେ ନିମ୍ନରୁ ଅର୍ଥନୈତିକ ଏବଂ ସାମାଜିକ ବିକାଶ କରିବାରେ ତାଙ୍କର ଉଦ୍ୟମ ପାଇଁ ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିଥିଲେ।
ୟୁନୁସ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନ୍ୟାନ୍ୟ ପୁରସ୍କାର ଜିତିଛନ୍ତି। ୨୦୦୯ରେ ତାଙ୍କୁ ୟୁଏସ ପ୍ରେସିଡେନସିଆଲ ମେଡାଲ ଅଫ ଫ୍ରିଡମରେ ସମ୍ମାନିତ କରାଯାଇଥିଲା ଏବଂ ୨୦୧୦ରେ ତାଙ୍କୁ କଂଗ୍ରେସର ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ଭାରତ ସହ ସମ୍ପର୍କ ଅତି ମଜବୁତ୍। ହସିନାଙ୍କ ବାପା ଶେଖ୍ ମୁଜିବୁର ରେହମାନ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଜଣେ ଘନିଷ୍ଟ ବନ୍ଧୁ ଥିଲେ। ସେ ପଶ୍ଚିମ ପାକିସ୍ତାନ କବଳରୁ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)କୁ ସ୍ବାଧୀନ କରିବାପାଇଁ ହୋଇଥିବା ଯୁଦ୍ଧକୁ ସମର୍ଥନ କରିଥିଲେ। ୧୯୭୫ରେ ମୁଜିବୁର ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ମିଲିଟାରି କୁପ୍ରେ ହତ୍ୟା କରାଯାଇଥିଲା। ହସିନା ଏବଂ ତାଙ୍କ ସାନ ଭଉଣୀ ସେ ସମୟରେ ବିଦେଶରେ ଥିବାରୁ ବଞ୍ଚି ଯାଇଥିଲେ। ତେବେ ଭାରତ ହସିନାଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଆଶ୍ରୟ ଦେଇଥିଲା। ସେ ସମୟରେ ହସିନା ଦିଲ୍ଲୀରେ ୬ ବର୍ଷ ରହିଥିଲେ। ତେଣୁ ଭାରତ ହସିନାଙ୍କୁ ଭଲଭାବେ ଜାଣେ। ହସିନା ଗାନ୍ଧୀ ପରିବାର ସହ ବହୁତ ନିବିଡ଼ ଥିଲେ। ୨୦୧୦ରେ ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ହସିନାଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲା। ୧୯୯୬ରେ ହସିନା ପ୍ରଥମ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ସେବେଠାରୁ ଭାରତ ସହ ସେ ଦୃଢ଼ ସମ୍ପର୍କ ରଖିଛନ୍ତି। ଚଳିତ ବର୍ଷ ଜାନୁଆରିରେ ହସିନା ଭାରତକୁ ଏକ ବିଶ୍ବସ୍ତ ବନ୍ଧୁ ବୋଲି କହିଥିଲେ। ବାଂଲାଦେଶ ନିର୍ବାଚନ ସମୟରେ ହସିନା ଭାରତକୁ ଏକ ବାର୍ତ୍ତା ଦେଇ ସେ କହିଥିଲେ, ‘ ଆମେ ଖୁବ୍ ଭାଗ୍ୟବାନ। ଭାରତ ଆମର ବିଶ୍ବସ୍ତ ବନ୍ଧୁ। ଆମର ମୁକ୍ତି ସଂଗ୍ରାମ ବେଳେ ସେମାନେ ଆମକୁ ସମର୍ଥନ କରିଛନ୍ତି। ୧୯୭୫ରେ ଯେତେବେଳେ ଆମେ ଆମ ପୂରା ପରିବାରକୁ ହରାଇଦେଲୁ ସେ ସମୟରେ ସେମାନେ ଆମକୁ ଆଶ୍ରୟ ଦେଇଛନ୍ତି। ଭାରତୀୟ ନାଗରିକଙ୍କୁ ଆମର ଶୁଭେଚ୍ଛା। ହସିନା କଂଗ୍ରେସ ନେତୃବୃନ୍ଦକୁ ସ୍ବାଭାବକି ଭାବେ ସମର୍ଥନ କରିଥିଲେ ସୁଦ୍ଧା ୨୦୧୪ରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ସେ ଭାରତ ସହ ଦୃଢ଼ ସମ୍ପର୍କ ବଜାୟ ରଖିଥିଲେ। ମୋଦୀଙ୍କ ନେତୃତ୍ବରେ ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଲା। ବାଂଲାଦେଶ ସହ ଭାରତର ଆର୍ଥିକ ସମ୍ପର୍କ ମଜବୁତ ହେଲା। ମୋଦୀ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଭାରତ ହସିନାଙ୍କୁ ପ୍ରଥମ ରାଷ୍ଟ୍ର ଅତିଥି ଭାବେ ଆମନ୍ତ୍ରଣ କରିଥିଲା। ହସିନାଙ୍କ କାର୍ଯ୍ୟକାଳରେ ତାଙ୍କ ରାଷ୍ଟ୍ରରେ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି। ବାଂଲାଦେଶରୁ ପରିଚାଳିତ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ହସିନାଙ୍କ ନେତୃତ୍ବରେ ବାଂଲାଦେଶ ସହ ଅତି ଘନିଷ୍ଠ ଭାବେ କାମ କରୁଛନ୍ତି। ତେଣୁ ହସିନା ଭାରତ ଉପରେ ଦୃଢ଼ ବିଶ୍ବାସ ରଖି ସଙ୍କଟ ସମୟରେ ଭାରତ ଚାଲି ଆସିଛନ୍ତି। ହସିନା ଭାରତରେ ପହଞ୍ଚିବା ସହ ଏହା ପ୍ରମାଣ ହୋଇଗଲା ଯେ ଭାରତ ହସିନା ଏବଂ ତାଙ୍କ ପରିବାର ସହ ଥିବା ସମ୍ପର୍କକୁ ଭୁଲିନାହିଁ। ହସିନା ଭାରତ ମାଟିରେ ଥିବା ପର୍ଯ୍ୟନ୍ତ ଭାରତ ତାଙ୍କୁ ସୁରକ୍ଷା ପ୍ରଦାନ କରିବ।