December 4, 2024

ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ

1 min read

ବ୍ରାଜିଲ: ବ୍ରାଜିଲର ରିଓ ଡି ଜେନେରିଓରେ ସୋମବାରଠାରୁ ଆରମ୍ଭ ହେଉଛି ୧୯ତମ ଜି-୨୦ ସମ୍ମିଳନୀ। ଏଥିରେ ଯୋଗଦେବା ପାଇଁ ବ୍ରାଜିଲରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରାଜିଲ ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଡି ସିଲଭାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮ ଓ ୧୯ ତାରିଖରେ ହେବାକୁ ଥିବା ଏହି ଦୁଇିଦିନିଆ ସମ୍ମିଳନୀରେ ଯୋଗଦେବା ପାଇଁ ଯାଇଛନ୍ତି।

ରିଓ ଡି ଜେନେରିଓରେ ପହଞ୍ଚିବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ବୈଦିକ ମନ୍ତ୍ରୋଚାରଣ ସହ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଥିଲେ ବ୍ରାଜିଲରେ ଥିବା ଭାରତୀୟମାନେ।

ଜି-୨୦ ସମ୍ମିଳନୀ ବିଭିନ୍ନ ଦୃଷ୍ଟରୁ ବେଶ୍ ଗୁରୁତ୍ୱ ବହନ କରେ। ଗତ ବର୍ଷ ଏହି ସମ୍ମିଳନୀକୁ ଭାରତ ଆୟୋଜନ କରିଥିଲା। ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ବ୍ରାଜିଲରେ ପହଞ୍ଚିଛନ୍ତି। ଏଥରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ବ୍ରାଜିଲ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ନାଇଜେରିଆ ଗସ୍ତ କରିଥିଲେ। ସେଠାରେ ସେ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟୀନୁବୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ନାଇଜେରିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ନାଇଜର’ରେ ସମ୍ମାନିତ କରାଯାଇଥିଲା।

ଏଥିସହିତ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ନାଇଜେରିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଅଲଗା ଅଲଗା ଦେଶକୁ ଗଲେ ବି ଭାରତର ପରମ୍ପରାକୁ କେବେ ବି ଭୁଲି ନ ଥାଉ। ଏହା ଆମ ଦେଶର ଶକ୍ତି ଏବଂ ସଂସ୍କାର। ଏହା ମୋର ପ୍ରଥମ ନାଇଜେରିଆ ଗସ୍ତ। ହେଲେ ମୁଁ ଏକୁଟିଆ ଆସିନି। ସାଙ୍ଗରେ ଭାରତ ମାଟିର ସୁଗନ୍ଧ ଏବଂ ଭାରତୀୟଙ୍କର ଅନେକ ଅନେକ ଆଶୀର୍ବାଦ ନେଇ ଆସିଛି।”

୧୭ ବର୍ଷର ବ୍ୟବଧାନ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ପଶ୍ଚିମ ଆଫ୍ରିକୀୟ ଦେଶକୁ ଯାତ୍ରା କରିଥିଲେ। ଫେରିବା ସମୟରେ ଏହି ସଫଳ ଯାତ୍ରା ପାଇଁ ନାଇଜେରିଆବାସୀଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ବ୍ରାଜିଲରେ ଜି-୨୦ ସମ୍ମିଳନୀରେ ଯୋଗଦେବା ପରେ ସେ ଗୁଏନା ଗସ୍ତ କରିବେ। ଏଠାରେ ସେ ଭାରତ-କ୍ୟାରିକମ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।