December 30, 2025

ବିଶିଷ୍ଟ ଶିକ୍ଷାବିତ୍ ବାମଦେବ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ: ସ୍ମରଣିକା ‘ଶ୍ରଦ୍ଧାଞ୍ଜଳି’ ଲୋକାର୍ପିତ

1 min read

ପୁରୀ : ଉତ୍କଳ ବିଶ୍ୱବିଦ୍ୟାଳୟର ଅନ୍ୟତମ ପୁରାତନ ଛାତ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ରସାୟନ ବିଜ୍ଞାନ ପ୍ରଫେସର ଶ୍ରୀ ବାମଦେବ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ପୁରୀସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଦାଶଙ୍କ ସ୍ମୃତି ଚାରଣ କରାଯିବା ସହ ଏକ ସ୍ମରଣିକା ପ୍ରକାଶ ପାଇଛି । ଗତ ୩୧ ଡିସେମ୍ବର ୨୦୨୪ରେ ଶ୍ରୀ ଦାଶ ଇହଧାମ ପରିତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ଶିକ୍ଷା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି । ଆଜିର ଏହି ଶ୍ରାଦ୍ଧବାର୍ଷିକୀ ସମାରୋହରେ ବହୁ ବୁଦ୍ଧିଜୀବୀ, ଛାତ୍ର ଏବଂ ପରିବାରବର୍ଗ ଯୋଗଦେଇ ତାଙ୍କର ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ସମର୍ପଣ ଭାବକୁ ମନେ ପକାଇଥିଲେ ।

ମେଧାବୀ ଛାତ୍ରରୁ ଦକ୍ଷ ଶିକ୍ଷା ପ୍ରଶାସକ

୧୯୩୫ ମସିହାରେ ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ଢିଅସାହି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାଶ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ସେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର (MSc) ଡିଗ୍ରୀ ପ୍ରଥମ ଶ୍ରେଣୀରେ ହାସଲ କରିଥିଲେ । ନିଜର ଚାରି ଦଶନ୍ଧିରୁ ଅଧିକ ସମୟର ଅଧ୍ୟାପନା ଜୀବନ ମଧ୍ୟରେ ସେ ରେଭେନ୍ସା ମହାବିଦ୍ୟାଳୟ, ଏସ.ସି.ଏସ (SCS) ମହାବିଦ୍ୟାଳୟ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଫକୀର ମୋହନ (FM) ମହାବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ଅଧ୍ୟାପକ ଓ ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ବିଜ୍ଞାନ ପ୍ରଚାରରେ ଅଗ୍ରଣୀ ଭୂମିକା
ଓଡ଼ିଶାରେ ବିଜ୍ଞାନକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ‘ଓଡିଶା ବିଜ୍ଞାନ ପ୍ରଚାର ସମିତି’ ତାଙ୍କର ପ୍ରଚେଷ୍ଟାରେ ତାଙ୍କ ବାସଭବନରୁ ହିଁ ଆରମ୍ଭ ହୋଇଥିଲା । ସ୍ୱର୍ଗତ ଗୋକୁଳାନନ୍ଦ ମହାପାତ୍ରଙ୍କ ଭଳି ବହୁ ବିଶିଷ୍ଟ ବୈଜ୍ଞାନିକ ଓ ଶିକ୍ଷାବିତ୍‌ଙ୍କ ସହଯୋଗରେ ସେ ବିଜ୍ଞାନ ପ୍ରଚାର ପାଇଁ ମାସିକ ପତ୍ରିକା ପ୍ରକାଶନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।