January 23, 2026

ପାତାଳି ମହୋତ୍ସବ ପାଇଁ ଚୁଡାନ୍ତ ପ୍ରସ୍ତୁତି

1 min read

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଆସନ୍ତା ୧୮ ତାରିଖ ଠାରୁ ୨୧ତମ ପାତାଳି ମହୋତ୍ସବର ଆୟୋଜନ ହେବ। ଏହି ସମାରୋହ ଜାନୁଆରି ୨୬ ତାରିଖ ଯାଏଁ ଜାରି ରହିବ। ଏନେଇ ଆଜି ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇ ଯାଇଛିl ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା, ଭାଗବତ ସପ୍ତାହ ପାରାୟଣ, ୫୬-ପ୍ରହରୀ ନାମଯଜ୍ଞ, ଘୃତଯଜ୍ଞ, ବିଷ୍ଣୁ ସହସ୍ର ନାମ ପଠନ, ହବନ, ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍କୀର୍ତ୍ତନ ବୈଠକି ଆଦି ସନ୍ନିବେଶିତ ହେବ।

ବୀରମହାରାଜାପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ ପ୍ରସ୍ତୁତି ବୈଠକରେ ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର, ଏସ୍.ଡି.ପି.ଓ ହେମନ୍ତ କୁମାର ରାଓ , ଏ.ବି.ଡି.ଓ ଉଲୁଣ୍ଡା ଶୁଭ୍ରାଂଶୁ ଶେଖର ମଲ୍ଲିକ, ଭାରପ୍ରାପ୍ତ ତହସିଲଦାର ଉଲୁଣ୍ଡା ସୋମନାଥ ବେହେରା, ବିଭିନ୍ନ ବିଭାଗର ଅଧିକାରୀ ଟ୍ରଷ୍ଟ ସଦସ୍ଯ, ସେବାୟତ ସଂଘ, ପାତାଳି ସେନା, ପ୍ରମୁଖ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଶୌଚାଳୟ ନିର୍ମାଣ, ପାନୀୟଜଳ, ଖାଦ୍ୟର ଗୁଣାତ୍ମକମାନ, ସ୍ବଚ୍ଛତା, ବେଆଇନ ମଦ ବିକ୍ରୟ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ପୁଲିସ ସେବା, ଆଲୋକ ବ୍ଯବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ଦିବସରେ ବିଶିଷ୍ଟ ଅତିଥି, ଆର୍ଥିକ ସହାୟତା ଉପରେ ଆଲୋଚନା କରାଯାଇଥିଲା। ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ପାତାଳି ଶ୍ରୀକ୍ଷେତ୍ରର ବୌଦ୍ଧିକ ମଣ୍ଡପରେ ପାତାଳି ସେନା ଓ ସମ୍ବାଦ ଆମ ଓଡିଶା ତରଫରୁ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଆସନ୍ତା ୨୫ ତାରିଖ ଦିନ ୧୦ଟାରେ ଧାର୍ଯ୍ୟ କରାଯାଇଛିl