June 25, 2026

ପୁଅ ମାଡରେ ବାପାଙ୍କ ମୃତ୍ୟୁ ଘଟିବା ଘଟଣା

1 min read

କେନ୍ଦୁଝର: କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଇବାକୁ ନେଇ ଏକମାତ୍ର ପୁଅ ମାଡରେ ବାପାଙ୍କ ମୃତ୍ୟୁ ଘଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତ ବାପାଙ୍କ ନାମ ତରଣୀସେନ ନାଏକ (୬୦)। ପୋଲିସ ଏହାକୁ ନେଇ ଏକ ହତ୍ୟା ମାମଲା (କେସ ନମ୍ବର ୮୭୮/୨୦୨୫) ରୁଜୁ କରି ହତ୍ୟାକାରୀ ପୁଅ ତ୍ରିନାଥ ନାଏକ (୩୦) କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଆଜି ଅପରାହ୍ନ ପ୍ରାୟ ୧.୩୦ ରେ ଘରେ ଥିବା ବାପା/ମା’ଙ୍କୁ ତ୍ରିନାଥ ଖାଇବାକୁ ମାଗିଥିଲେ। ତେବେ ଖାଇବା ଦେବାକୁ ବିଳମ୍ବ ହେବାରୁ ଉତ୍ୟକ୍ତ ହୋଇ ତ୍ରିନାଥ ବାପାଙ୍କୁ ଠେଲି ଦେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ ଏବଂ ଖଟର ବାଡାରେ ବାଜି ଆହତ ହୋଇଥିଲେ। ଏହା ପରେ ଉତ୍ୟକ୍ତ ହୋଇ ସେ ତାଙ୍କ ଗୋଡରେ ବାପାଙ୍କ ମୁଣ୍ଡକୁ ମାଡି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତରଣୀସେନଙ୍କ ମୃତ୍ୟୁ ହୋଇଥିଲା।

ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଘଟଣା ତଦନ୍ତ କରିଥିଲେ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି ।