ଇଓ ଉପସ୍ଥାପିତ ‘ ଦି ଲଙ୍ଗ୍ ନାଓ ଅଫ୍ ଅସ୍’ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଙ୍କ ଦ୍ୱାରା ଉନ୍ମୋଚିତ
1 min read
ଭୁବନେଶ୍ୱର,୧୩।୨(ନିପ୍ର): ସ୍ଥାନୀୟ ଲଳିତ କଳା ଏକାଡେମୀଠାରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଶିଳ୍ପୀ ଜଗନ୍ନାଥ ପଣ୍ଡାଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ‘ ଦି ଲଙ୍ଗ୍ ନାଓ ଅଫ୍ ଅସ୍’ ଶୁକ୍ରବାର ଅପରାହ୍ଣରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ମୁଖ୍ୟଅତିଥି ଶ୍ରୀ ସିଂହଦେଓ ତାଙ୍କ ଉଦ୍ବୋଧନରେ କହିଥିଲେ,ଓଡ଼ିଶାର ପାରମ୍ପରିକ ମୂଳଉତ୍ସ ସହ ବୈଶ୍ୱିକ ସମସାମୟିକ କଳା ଚର୍ଚ୍ଚାକୁ ଏହି ପ୍ରଦର୍ଶନୀ ସେତୁ ଭଳି ଯୋଡ଼ିବାର ଏକ ଅଭିଯାନ। ଏହି ଅବସରରେ ରମାକାନ୍ତ ସାମନ୍ତରାୟଙ୍କ ‘ରୂପକଥାର ରୂପକାର: ଜଗନ୍ନାଥ ପଣ୍ଡାଙ୍କର ଜୀବନ, ଦର୍ଶନ ଏବଂ ସୃଜନ’ ଶୀର୍ଷକରେ ଲବ୍ଧପ୍ରତିଷ୍ଠ ଶିଳ୍ପୀଙ୍କ ଜୀବନ ଓ ଦାର୍ଶନିକ ଯାତ୍ରା ଅଧାରିତ ପୁସ୍ତକର ଉନ୍ମୋଚନ ମଧ୍ୟ ହୋଇଥିଲା।ଶିଳ୍ପୀ ଶ୍ରୀ ପଣ୍ଡାଙ୍କ ଏକକ ଚିତ୍ର ପ୍ରଦର୍ଶନୀରେ ପାରିବେଶିକ ପ୍ରତିକୂଳତାଜନିତ ସଂବେଦନତା, ସାଂସ୍କୃତିକ ବିସ୍ଥାପନ, ସ୍ମୃତିର ମିଥ୍ପ୍ରସ୍ତୁତି ତଥା ରାଜନୀତି ସଂପନ୍ନ ଆଖ୍ୟାନଚାଳିତ ସାଂକେତିକ ରୂପକଳ୍ପର କୋଲାଜିଂମାନ ସ୍ଥାନିତ ହୋଇଥିଲା। ଏ ସଂପର୍କରେ ନିଜେ ଶିଳ୍ପୀ ଶ୍ରୀ ପଣ୍ଡା କହିଥିଲେ,ମୋର ଆଦ୍ୟଜୀବନର ଚିତ୍ରଲିପି ତଥା ଜୀବନ୍ତ ଅନୁଭବକୁ ସାଉଁଟିଛି ଉପସ୍ଥାପିତ ପ୍ରଦର୍ଶନୀରେ ସ୍ଥାନିତ କଳାକୃତିଗୁଡ଼ିକରେ। ଭୁବନେଶ୍ୱରକୁ ଫେରିବା ମୋତେ ଅନୁଭୂତ ହୋଇଛି ଏକ ସିଲିଣ୍ଡର ସଦୃଶ ଘୂର୍ଣ୍ଣନ। କଳାକୃତିଗୁଡ଼ିକରେ ଇତିହାସ, ସ୍ମୃତି ଓ ବର୍ତ୍ତମାନର ସହାବସ୍ଥାନର ଏକ ଅଂଶ ହିଁ ବିଦ୍ୟମାନ। କଳାକୃତିଗୁଡ଼ିକର ମନୋନୟନ କରିଥିବା କ୍ୟୁରେଟର ଶିବଦାସ ସେନଗୁପ୍ତ କହିଛନ୍ତି,ଏହି ପ୍ରଦର୍ଶନୀ କଳାକୃତିର ଏକ ଉପସ୍ଥାପନ ନୁହେଁ ବରଂ ଏହା ସମୟର ଅନ୍ୱେଷଣ।
ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଏହାକୁ ଉପସ୍ଥାପିତ କରିଥିବା ଏଣ୍ଟ୍ରି୍ରପ୍ରିନର୍ସ ଅର୍ଗାନାଇଜେସନ(ିଇଓ) ଓଡ଼ିଶା ଚାପଟର୍ ରାଜ୍ୟର ବୈାଦ୍ଧିକ,ସାଂସ୍କୃତିକ ଓ ମଧ୍ୟବର୍ତ୍ତୀ ଶୃଙ୍ଖଳାଗତ ଅଭିବୃଦ୍ଧିକୁ ରାଜ୍ୟରେ ଅଭିବୃଦ୍ଧି କରିବାରେ ପ୍ରତିଶ୍ରୁତିବଦ୍ଧ। ଇଓ ଓଡିଶାର ଚାପଟର୍ ଫୋରମ ଚେୟାର ତଥା ବୋର୍ଡ ସଦସ୍ୟ କମଲ ଅଗ୍ରୱାଲ କହିଛନ୍ତି, ଏକ ନୂଆ ଶୈକ୍ଷଣିକ ଭିତ୍ତିଭୂମିକୁ ଆମେ ପ୍ରୋତ୍ସାହନ ଦେଉଛୁ।
ସୂଚନାଯୋଗ୍ୟ ଯେ ଏହି ପ୍ରଦର୍ଶନୀ ୨୮ ଫେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିବ। ସକାଳ ୧୧ଟାରୁ ସଂଧ୍ୟା ଛଅଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ। ସ୍ୱତନ୍ତ୍ର ପୁସ୍ତକ ଆଲୋଚନା ୨୭ ତାରିଖରେ ଅନୁଷ୍ଠିତ ହେବ।


